ଧରାପଡିଲେ ବ୍ଳାକ୍ ପଲସର୍ ଗ୍ୟାଙ୍ଗ : ଅଭିଯୁକ୍ତର ଭଉଣୀ କହିଲେ କେମିତି ଅପରାଧୀ ବନିଲା ଭାଇ

45

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧରାଦେଲେ ବ୍ଲାକ୍ ପଲସର୍ ଗ୍ୟାଙ୍ଗ । ରାଜଧାନୀରେ ଚଳନ୍ତା ବାଇକରେ ଲୋକଙ୍କ ତଂଟି କାଟି ଆତଙ୍କ ସୃଷ୍ଟି କରିଥିବା ଦୁର୍ବୃତ୍ତଙ୍କୁ ଧରିଛି ପୋଲିସ । ଘଟଣା ଦିନ ଜଣେ ଧରାପଡିଥିବା ବେଳେ ଆଜି କେନ୍ଦ୍ରାପଡାରୁ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି । ସେପଟେ ଜଣେ ଅଭିଯୁକ୍ତର ଭଉଣୀ କହିଛନ୍ତି, କେମିତି ଅପରାଧୀ ସାଜିଲା ଭାଇ ।

ରାଜଧାନୀ ରାସ୍ତାରେ ବ୍ଲାକ୍ ପଲସରରେ ଆତଙ୍କ ଖେଳାଇଥିବା ଜଣେ ଅଭିଯୁକ୍ତର ଭଉଣୀ କହିଛନ୍ତି, ତାଙ୍କ ଭାଇଙ୍କୁ ଫସାଯାଇଛି । ଆଶିଷ ଜଣେ ଇଂଜିନିୟରିଂ ପାସ୍ ଆଉଟ୍ ଛାତ୍ର । ସେ କେବେବି ଏଭଳି କାମ କରିନଥିବେ । ଘଟଣାର ରିଙ୍ଗ ମାଷ୍ଟର ହେଉଛି ଅମିତ । ଆଉ ତା କଥାରେ ପଡି ମଦ ପିଇବା ପରେ ସେଦିନ ଏଭଳି କାଣ୍ଡ ହୋଇଛି ।

ଅମିତ ମହାପାତ୍ର, ଆଶିଷ ବେହେରା ଓ ଭାରତ ଗୌରବ ପଣ୍ଡା । ରାଜଧାନୀ ରାସ୍ତାରେ ବ୍ଲାକ୍ ପଲସରରେ ଆତଙ୍କ ଖେଳାଇଥିବା ୩ ଦୁର୍ବୃତ୍ତ । ରବିବାର ଶୀତୁଆ ରାତିରେ ଲୋକଙ୍କ ଉପରେ କରିଥିଲେ ସିରିଜ ଆଟାକ୍ । ଯାହାକୁ ପାଇଲେ କାଟିଲେ । ଚଳନ୍ତା ଗାଡିରେ ଧାରୁଆ ଆସ୍ତ୍ରରେ ଅତର୍କିତ ଆକ୍ରମଣ କରି ଆଖି ପିଛୁଳାକେ ଛୁ ମାରିଥିଲେ । ହେଲେ ପୋଲିସ ହାତରେ ଧରାପଡିଯାଇଥିଲା ଅମିତ୍ । ଆଜି କେନ୍ଦ୍ରାପଡାରୁ ଆଶିଷକୁ କାବୁ କରିଛି ଖଣ୍ଡଗିରି ପୋଲିସ । ସେପଟେ କମିସନରେଟ୍ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ଆଉ ଜଣେ ଅଭିଯୁକ୍ତ ଭାରତ ପଣ୍ଡା ।

ଜଣେ ଆଇନ୍ ଛାତ୍ର, ଆଉ ଜଣେ ଇଂଜିନିୟରିଂର । ତେବେ କଣ ପାଇଁ ବିନା କାରଣରେ ଏମାନେ ଲୋକଙ୍କୁ ଲହୁ ଲୁହାଣ କଲେ । ସମସ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ବେଳେ ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଜଣା ପଡିଛି ।