ରାଜ୍ୟରେ ପୁଣି ଫେରିଲା ବାର୍ଡ-ଫ୍ଲୁ ! ପୁରୀରେ କାଉ, କୁକୁଡା ନମୁନାରେ ଆସିଲା ପଜିଟିଭ ରିପୋର୍ଟ, କାଲିଠୁ କୁକୁଡା ମରା ଅଭିଯାନ

1,328

କନକ ବ୍ୟୁରୋ : ପୁଣି ଫେରିଲା ବାର୍ଡ-ଫ୍ଲୁ । ପୁରୀ କୃଷ୍ଣପ୍ରସାଦ ଅଂଚଳରୁ ସଂଗ୍ରହ ହୋଇଥିବା ନମୂନାରେ ବାର୍ଡ-ଫ୍ଲୁ ପଜିଟିଭ୍ ଆସିବା ପରେ ଆରମ୍ଭ ହୋଇଛି ତନାଘନା । କୃଷ୍ଣପ୍ରସାଦ ଓ ଆଖପାଖ ଅଂଚଳରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଉପରେ କଟକଣା ଲଗାଇବା ସହ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ସେପଟେ କାଲିଠାରୁ ସଂପୃକ୍ତ ଅଂଚଳରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ । ସେଥିପାଇଁ ୧୦ଟି ରାପିଡ୍ ରେସପନସ ଟିମ୍ ଗଠନ କରାଯାଇଛି । ସରକାର ଏଥିପ୍ରତି ସଜାଗ ଅଛନ୍ତି, ଏହାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛି ମତ୍ସ୍ୟ ଓ ପଶୁୁ ସଂପଦ ବିଭାଗ ।

ପୁରୀରେ କାଉ ମଡ଼କ ଓ କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମରିପଡିବା ପରେ ପୁଣି ଫେରିଛି ବାର୍ଡ ଫ୍ଲୁ ଆତଙ୍କ । କୃଷ୍ଣପ୍ରସାଦ ବ୍ଳକର ସାନସାହି, ପଥରଗଂଜ, ମାଲୁଦ ଅଂଚଳରୁ ଭୋପାଳ ଲାବୋରେଟୋରୀକୁ ପଠାଯାଇଥିଲା ସାମ୍ପଲ୍ । ୨ଟି କାଉ ଓ ୨ଟି କୁକୁଡ଼ା ସାମ୍ପଲରେ ରହିଛି ବାର୍ଡ-ଫ୍ଲୁ ପିଜିଟିଭ୍ । ଏହି ରିପୋର୍ଟ ଆସିବା ପରେ ଆରମ୍ଭ ହୋଇଯାଇଛି ତନାଘନା । ଫାଷ୍ଟ ଫୁଡ୍ ଦୋକାନ ଓ କୁକୁଡ଼ା ଫାର୍ମଗୁଡିକରେ ଚଢ଼ାଉ କରାଯିବାକୁ ତହସିଲଦାର ଓ ବିଡିଓକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ଦିନ ପର୍ଯ୍ୟନ୍ତ କୁକୁଡ଼ା ମାଂସ, ଅଣ୍ଡା ନ ଖାଇବାକୁ ସତର୍କ କରାଯିବା ସହ କୃଷ୍ଣପ୍ରସାଦ ବ୍ଳକରେ ଥିବା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।

ପୁରୀ କୃଷ୍ଣପ୍ରାସଦ ଅଂଚଳରେ କାଲିଠାରୁ ଆରମ୍ଭ ହେବ କୁକୁଡ଼ା ମରା ଅଭିଯାନ । ଏଥିପାଇଁ ଜଣେ ଭେଟେନାରୀ ଡାକ୍ତର, ଜଣେ ଆରଆଇ ଓ ୨ ଜଣଏଲଆଇକୁ ନେଇ ଗଢ଼ାଯାଇଛି ରାପିଡ୍ ରେସପନସ ଟିମ୍ । ୧୦ଟି ରାପିଡ୍ ରେସପନସ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ପର୍ସନାଲ ପ୍ରିକସନ୍ ଇକ୍ୟୁପମେଂଟ ପରିଧାନ କରି କୁକୁଡ଼ା ମରା ଅଭିଯାନରେ ସେମାନେ ସାମିଲ ହେବେ । କୁକୁଡ଼ା ମରାଯାଉଥିବା ଅଂଚଳର ଏକ କିଲୋମିଟର ପରିଧି ମଧ୍ୟରେ ଗାଡ଼ି ମଟର ବାରଣ କରାଯାଇଥିବା ବେଳେ ସାଧାରଣ ଚଳପ୍ରଚଳକୁ ନିଷିଦ୍ଧ କରାଯିବ । କୁକୁଡ଼ା ମରାଯିବା ପରେ ଗାତରେ ଚୁନ, ଫିନାଇଲ ଓ ବ୍ଲିଚିଂ ପକାଯାଇ ପୋତି ଦିଆଯିବ ।

ବାର୍ଡ ଫ୍ଲୁ କୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ପଶୁ ସଂପଦ ବିଭାଗ ତତ୍ପର ହୋଇ ଉଠିଛି । ଏହା କିପରି ଅନ୍ୟ ଅଂଚଳକୁ ବ୍ୟାପିବ ନାହିଁ, ସେନେଇ ପଦକ୍ଷେପ ନିଆଯାଉଛି । କେବଳ କୃଷ୍ଣପ୍ରସାଦ ଅଂଚଳ ନୁହେଁ କଣାସ ଓ କୋଣାର୍କ ଅଂଚଳରୁ ମଧ୍ୟ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।