ନେପାଳରେ ବଡ ବିମାନ ଦୁର୍ଘଟଣା। ଜଳିଗଲା ବିମାନ, ୭୨ ମୃତ।

111

କନକ ବ୍ୟୁରୋ: ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତଳକୁ ଖସି ପଡିବା ସହ ସମ୍ପୂର୍ଣ୍ଣ ଜଳିଯାଇଥିଲା । ହୁତୁ ହୁତୁ ହୋଇ ଜଳିଯାଇଥିଲା ବିମାନ । ବିମାନ ଜଳିବାବେଳେ ଆକାଶ ଧୁଆଁମୟ ହୋଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ପ୍ରାୟ ୭୨ଜଣଙ୍କ ଜୀବନ ଚାଲିଯାଇଛି ।

ସମୟ ସକାଳ ୧୦ଟା ୩୦
ସ୍ଥାନ- କାଠମାଣ୍ଡୁ ଅନ୍ତର୍ଜାତୀୟ ବିମାନବନ୍ଦର
ନେପାଳ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ କାଠମାଣ୍ଡୁ ବିମାନବନ୍ଦରରୁ, ପୋଖରା ଅଭୁମୁଖେ ଉଡାଣ ଭରିଥିଲା ୟେତି –ଏୟାରଲାଇନ୍ସର ୯ଏନ- ଏଏନସି- ଏଟିଆର-୭୨ ବିମାନ । କିନ୍ତୁ ଦୁର୍ଭାଗ୍ୟ ବସତଃ ଉଡାଣ ଭରିବାର ମାତ୍ର ୨୦ ମିନିଟ୍ ପରେ, ପୋଖରାରେ ପହଁଚିବା ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ୬୮ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୨ଜଣ ଥିଲେ ।

କାଠମାଣ୍ଡୁରୁ ପୋଖରା ପହଁଚିବାକୁ ମାତ୍ର ୨୫ମିନିଟ୍ ସମୟ ଲାଗିଥାଏ । ବିମାନ ଉଡିବାର ୨୦ ମିିନିଟ ବି ଅତିକ୍ରମ କରିସାରିଥିଲା । ଆଉ ମାତ୍ର କିଛି ସମୟ ଭିତରେ ପୋଖରାରେ ଅବତରଣ କରିଥାନ୍ତା । ବିମାନଟି ପୋଖରା ସହରର ଏକ ଘର ଉପରେ ଆକାଶରେ ଉଡୁଥିଲା । କିନ୍ତୁ ଏହାର ମାତ୍ର କିଛି ସମୟ ଭିତରେ ଅଚାନକ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଛି । କୁହାଯାଉଛି ବିମାନଟି ଉଚ୍ଚ ପାହାଡରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତଳେ ଥିବା ଏକ ନଦୀ ଅତଡାକୁ ଖସିପଡିଥିଲା । ଆଉ ସେଠାରେ ହିଁ ଜଳି ଯାଇଥିଲା । ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡିଥିଲା ବିମାନର ଭଗ୍ନାବଶେଷ । ବିମାନରେ ଥିବା ଲୋକମାନେ ବି ଏଣେତେଣେ ପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ନେପାଳ ସେନା ଓ ପୋଲିସ । ହେଲେ, ଭୟଙ୍କର ଦୁର୍ଘଟଣାରୁ ବିମାନରେ ଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା ।

ଦୁର୍ଘଟଣାଗ୍ରସ୍ତ ବିମାନରେ ୧୫ ବିଦେଶୀ ନାଗରିକଙ୍କ ମଧ୍ୟରେ ରହିଥିଲେ ୫ଜଣ ଭାରତୀୟ ଥିଲେ । ତେବେ କେଉଁ ଭାରତୀୟ ବିମାନରେ ଥିଲେ ସେ ନେଇ ଭାରତକୁ ଅବଗତ କରିଛି ନେପାଳ । ସୂଚନା ଅନୁସାରେ ଅଭିଷେକ୍ କୁଶୱାହା, ବିଶାଳ ଶର୍ମା, ଅନିଲ କୁମାର ରାଜଭର, ସୋନୁ ଜୈସ୍ୱାଲ ଓ ସଞ୍ଜୟ ଜୈସ୍ୱାଲ ବିମାନରେ ଯାତ୍ରା କରିଥିଲେ । ନେପାଳ ସରକାରଙ୍କ ସହ ଯୋଗାଯୋଗରେ ରହିଛି ଭାରତ ।

ଗତ ମେ ମାସରେ, ଏମିତି ଏକ ବିମାନ ଦୁର୍ଘଟଣାରେ ୪ଜଣ ଭାରତୀୟଙ୍କ ସମେତ ୨୨ଜଣ ବିମାନଯାତ୍ରୀଙ୍କର ନେପାଳରେ ମୃତ୍ୟୁ ହୋଇଥିଲା । ପାହାଡରେ ଧକା ଯୋଗୁଁ ସେହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କୁହାଯାଇଥିଲା । ଏବେ ପୁଣି ସେମିତି ପାହାଡରେ ଧକା ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।