ସିଂହନାଥ ପୀଠ ପରେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଠେଲାପେଲା। ବ୍ୟାରିକେଡ୍ ଭିତରେ ଅଣନିଶ୍ୱାସୀ ହୋଇ ଦୁଇ ଭକ୍ତ ଗୁରୁତର।

77

କନକ ବ୍ୟୁରୋ: ଦୁଇ ଦିନ ଭିତରେ ରାଜ୍ୟରେ ଦୁଇ ଦୁଇଟି ଦଳାଚକଟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସିଂହନାଥ ପୀଠ ଖବର ସାରାଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବାବେଳେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ବ୍ୟାରିକେଡ ଭିତରେ ଠେଲାପେଲା ଓ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଗୁରୁତର ହେବା ସମସ୍ତଙ୍କୁ ଚକିତ କରିଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ଠେଲାପେଲା ଯୋଗୁଁ ତଳେ ପଡି ଯାଇଥିବା ହାଡଗଡିଆ ସାହିର ୬୫ବର୍ଷିୟ ସୁଲୋଚନା ସାହୁ ଓ କଟକ ପିଠାପୁରର ୧୬ବର୍ଷିୟ ଦିବ୍ୟା ସାହୁଙ୍କ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯାଇଛି ।

ଶନିବାର ମକର ସଂକ୍ରାନ୍ତି ଥିବାରୁ ମନ୍ଦିର ଦ୍ୱାର ବିଳମ୍ବରେ ବନ୍ଦ ହୋଇଥିଲା । ଆଉ ଆଜି ଦ୍ୱାରଫିଟା ବି ବିଳମ୍ବ ହୋଇଥିଲା । ହେଲେ ରବିବାର ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି ହୋଇଥିଲା । ଆଉ ଦ୍ୱାର ଫିଟିବା କ୍ଷରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦଉଡିବା ଆରମ୍ଭ କରିଥିଲେ ।

ସିଂହନାଥ ପୀଠରେ ଦଳାଚକଟା ପରେ, ସେଠାରେ ଜାରି ହୋଇଛି ୧୪୪ଧାରା । ପୀଠରେ ହେବାକୁ ଥିବା ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିଛି ପ୍ରଶାସନ । ପ୍ରଶାସନ କଟକଣା ଲଗାଇବା ପରେ ଷ୍ଟଲ ପକାଇଥିବା ବ୍ୟବସାୟୀମାନେ ସେମାନଙ୍କ ଜିନିଷପତ୍ର ଧରି ଫେରିବାକୁ ବାଧ୍ୟ ହୋଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସିଂହନାଥ ପୀଠ ହେଉ କି ଶ୍ରୀମନ୍ଦିର, ଯେଉଁଠି ଶ୍ରଦ୍ଧାଳୁମାନେ ଭଗବାନଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି, ସେମାନେ ନିଜେ ସତର୍କ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଠେଲାପେଲା ନକରି ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିବାର ଆବଶ୍ୟକତା ରହିଛି ।