ଭର୍ତ୍ତୃହରି ବନାମ ସଂତୃପ୍ତ: ମହାଲଢ଼େଇ ପାଇଁ ପ୍ରସ୍ତୁତ କଟକ ମଇଦାନ

171

କନକ ବ୍ୟୁରୋ: ଏଥର କଟକରେ ହେବ କଡା ଟକ୍କର । କଟକରୁ ୬ ଥର ସାଂସଦଙ୍କୁ ଟକ୍କର ହେବେ କର୍ପୋରେଟ୍ ଜଗତର ବଡ ଚେହେରା । ସବୁ ସସ୍ପେନ୍ସର ଛାତି ଚିରି କଟକ ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା ସରିଛି । ବିଜେପିରୁ ଭର୍ତୃହରି ମହତାବଙ୍କ ସହ ମଇଦାନରେ ଟକ୍କର ଦେବେ କର୍ପୋରେଟ୍ ରଣନୀତିକାର ସଂତୃପ୍ତ ମିଶ୍ର । ଅନୁଭବି ନେତା ବନାମ ବିଜେଡି ନେତାଙ୍କ ମଧ୍ୟରୁ କାହାକୁ ବାଛିବେ ଜନତା, ତାକୁ ନେଇ ଚାଲିଛି ଚର୍ଚ୍ଚା ।

ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ତାଙ୍କୁ କଟକ ଲୋକସଭା ପାଇଁ ପ୍ରାର୍ଥୀ କରିଛି ଦଳ । ଗତକାଲି ବିଜେପି ଟିକେଟ ଘୋଷଣା କରିବା ପରେ ଆଜି ଓଡ଼ିଶା ଫେରି ଆସିଛନ୍ତି ଭର୍ତୃହରି । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ବିଜେପି ନେତା ଓ କର୍ମୀ । ବିଶାଳ ରାଲି କରି ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଁଚିବା ପରେ ଭର୍ତୃହରି କହିଛନ୍ତି, ବିଜେପି ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ୩ ଥର ମେଂଟର ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ସେ କହିଛନ୍ତି, ବିଜେପିରେ କାମ କରିବା ପାଇଁ ବ୍ୟାପକ ସୁଯୋଗ ମିଳିବ । ଓଡ଼ିଶାରେ ପରିବର୍ତ୍ତନର ଆଭାସ ମିଳୁଛି ।

ବିଜେଡିର ପତନର ବେଳ କହି ଭର୍ତୃହରି ଶାସକ ଦଳକୁ ଟାର୍ଗେଟ କରିଥିବା ବେଳେ କଟକରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର । ଯୁବ ଭୋଟରଙ୍କ ସମର୍ଥନ ଲୋଡ଼ିଛନ୍ତି । ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କୁ ତୁଳସୀପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଯୁବ ଭୋଟରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଂତୃପ୍ତ ।

କଟକ ଲୋଭସଭା ଆସନରେ ବଡ଼ ଲଢ଼େଇ ହେବାକୁ ଯାଉଛି । ଗୋଟିଏ ପଟେ ୬ ଥର ସାଂସଦ ହୋଇଥିବା ଭର୍ତୃହରି ମହତାବଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ କର୍ପୋରେଟ୍ ଲିଡର ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଗୋଟିଏ ପଟେ ଅଭିଜ୍ଞ ରାଜନେତା ଓ ଅନ୍ୟପଟେ ଜଣେ ସଫଳ କର୍ପୋରେଟ୍ ରଣନୀତିକାର । ତେଣୁ କଟକ ନିର୍ବାଚନମଣ୍ଡଳୀର ଭୋଟର କାହା ସପକ୍ଷରେ ମତ ଦେଉଛନ୍ତି, ତା ଉପରେ ରହିବ ସମସ୍ତଙ୍କ ନଜର ।