‘ମ୍ୟାଚ ଜିତିବାକୁ ବିଜେପି କରୁଛି ମ୍ୟାଚ୍ ଫିକ୍ସିଂ’: ମୋଦୀ ସରକାରକୁ ଟାର୍ଗେଟ କଲେ ରାହୁଲ

40

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାମଲୀଳା ମୈଦାନରେ ଏକାଠି ହେଲେ ଇଣ୍ଡିଆ ମେଂଟର ନେତା । ନିର୍ବାଚନ ଜିତିବାକୁ ବିଜେପି ମ୍ୟାଚ ଫିକ୍ସିଂ କରୁଛି ବୋଲି ବିରୋଧୀ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳର ଦୁଇ ପ୍ରମୁଖ ନେତା କେଜ୍ରିୱାଲ ଏବଂ ହେମନ୍ତ ସୋରେନଙ୍କୁ ଛାଡିବା ସହିତ ୫ ଦାବି ରଖିଛନ୍ତି ବିରୋଧୀ । ନିର୍ବାଚନ ବେଳେ ବିରୋଧୀଙ୍କୁ ଦୁର୍ବଳ କରିବାକୁ ପ୍ରୟାସ ହେଉଛି । ଏପରିକି ଆକାଉଂଟ ସିଜ୍ କରାଯାଉଛି କହି ବିଜେପି ସରକାର ବିରୋଧରେ ବର୍ଷିଛି ବିରୋଧୀ ।

ବିଜେପିର ମିଶନ ୪୦୦ ପାର୍ ନାରା ପଛରେ ମ୍ୟାଚ ଫିକ୍ସିଂ! ଆଉ ଏଥିପାଇଁ ଅମ୍ପୟାର ସ୍ଥିର ହୋଇଛି । ଏହି ଅମ୍ପାୟରକୁ ଚିହ୍ନଟ କରିଛି ବିଜେପି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ଦାବି କରିଛନ୍ତି । ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀ ରାମଲୀଳା ମୈଦାନରେ ବିରୋଧୀ ଇଣ୍ଡିଆ ମେଂଟ ଏକଛତ୍ରବାଦ ହଟାଓ, ଲୋକତନ୍ତ୍ର ବଚାଁଓ ନାଁରେ ବିଶାଳ ରାଲି କରିଛି । ଏହି ସମୟରେ ମ୍ୟାଚ ଫିକ୍ସିଂ କଥା କହି ଇଭିଏମ୍ କଥା ଉଠାଇଛନ୍ତି ରାହୁଲ । ସୋସିିଆଲ ମିଡିଆକୁ ମଧ୍ୟ ମ୍ୟାନେଜ କରାଯାଉଥିବା କଥା କହିଛନ୍ତି ୱାଏନାଡ ସାଂସଦ । ଆଉ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଦେଶର ୩-୪ ଅରବପତି ସମର୍ଥନ କରୁଛନ୍ତି ବୋଲି ରାହୁଲ ଦାବି କରିଛନ୍ତି । ଯଦି ମ୍ୟାଚ ଫିକ୍ସିଂ ନହେବ ବିଜେପି ୧୮୦ରୁ ଅଧିକ ଆସନ ଜିତିପାରିବ ନାହିଁ ବୋଲି ରାହୁଲ କହିଛନ୍ତି ।

ନିର୍ବାଚନ କମିସନଙ୍କ ଆଗରେ ବିରୋଧୀଙ୍କ ୫ ଦାବି
କେଜ୍ରିୱାଲଙ୍କୁ ସିଂହ କହି ବର୍ଷିଲେ ପତ୍ନୀ ସୁନୀତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଜେଲରେ । ଦୁର୍ନୀତି ମାମଲାରେ ବିରୋଧୀ ଦଳର ଏହି ଦୁଇ ପ୍ରମୁଖ ନେତା ଗିରଫ ହୋଇଛନ୍ତି । ଏମାନଙ୍କ ଅନୁପସ୍ଥିତିରେ ଉଭୟଙ୍କ ପତ୍ନୀ ଇଣ୍ଡିଆ ମେଂଟ ରାଲିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ । ତାଙ୍କୁ ପିଞ୍ଜରାରେ ରଖିପାରିବେ ନାହଁ ବୋଲି ସୁନୀତା ଦାବି କରିଛନ୍ତି । ସେପଟେ ନିର୍ବାଚନ କମିଶନଙ୍କ ଆଗରେ ୫ ଦାବି ରଖିଛନ୍ତି ।

୧ ହେମନ୍ତ ସୋରେନ, କେଜ୍ରିୱାଲଙ୍କୁ ମୁକ୍ତ କର
୨ ବନ୍ଦ ହେଉ ଇଡି, ସିବିଆଇର ଆକ୍ରୋଶମୂଳକ ପଦକ୍ଷେପ
୩ ବିରୋଧୀଙ୍କୁ ଆର୍ଥିକ ଦୁର୍ବଳ କରିବା ପ୍ରୟାସ ନହେଉ
୪ ଏସଆଇଟି ଜରିଆରେ ନିର୍ବାଚନୀ ବଣ୍ଡ ମାମଲାର ତଦନ୍ତ ଦାବି
୫ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯାଉ

ଇଣ୍ଡିଆ ମେଂଟର ଏହି ରାଲିରେ ବିରୋଧୀ ଦଳର ଅନେକ ନେତା ସାମିଲ ହୋଇଥିଲେ । ଯଦିଓ ମମତା ସାମିଲ ହୋଇନାହାନ୍ତି ତେବେ ଦଳର ସାଂସଦ ସାଗରିକା ଘୋଷ କହିଛନ୍ତି, ଇଣ୍ଡିଆ ମେଂଟ ସହିତ ରହିଛି ଟିଏମସି ।