ପଦ୍ମ ଶିବିରରେ ସିନେ ତାରକା: ବିଜେପିରେ ମିଶିଲେ ଆକାଶ । କହିଲେ, ସ୍ୱାଭିମାନ ପାଇଁ ଲଢ଼ିବେ

174

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ତାରକା ଫୁଲ ଧରୁଛନ୍ତି । ପ୍ରଥମେ ଅରିନ୍ଦମ, ତା ପରେ ସିଦ୍ଧାନ୍ତ ଓ ଆଜି ଆକାଶ ଦାସ ନାୟକ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । କୋରଇର ପୂର୍ବତନ ବିଧାୟକ ଆକାଶ ଏଥର ଟିକେଟ୍ ଆଶାୟୀ ଥିଲେ । ଅନ୍ୟପଟେ ରାଜ୍ୟର ଅନ୍ୟ ୩ଟି ଅଂଚଳର ନେତା ଓ କର୍ମୀ ଆଜି ବିଜେପି ଶିବିରରେ ସାମିଲ ହୋଇଛନ୍ତି । ବରଗଡ଼ ପାଇକମାଳ, ବୌଦ୍ଧ ଏବଂ କଂଟାମାଳ ଅଂଚଳ ଅନେକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ବିଜେଡି ଛାଡ଼ିବାର ଠିକ ଦିନକ ପରେ ଦଳବଳ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଂଚିଛନ୍ତି ଓଲିଉଡ ତାରକା ଆକାଶ ଦାସ ନାୟକ । ସମର୍ଥକ ଓ କର୍ମୀଙ୍କୁ ନେଇ ବିଶାଳ ରାଲି କରିବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ । ବିଜେପି ନେତା ଅରିନ୍ଦମ ରୟ ଏବଂ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଆକାଶଙ୍କୁ ସ୍ୱାଗତ କରିବା ସହ ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏହା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ବିଜେପି ନେତାଙ୍କ ମେଳରେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ।

୨୦୧୪ରେ କୋରେଇରୁ ନିର୍ବାଚିତ ହୋଇ ବିଧାନସଭା ଆସିଥିଲେ ଆକାଶ । ୨୦୧୯ରେ ତାଙ୍କୁ ବିଜେଡି ଟିକେଟ୍ ଦେଇନଥିଲା । ତେବେ ବାରମ୍ବାର ବିଜେଡିରେ ଅଣଦେଖା ଶିକାର ହେଉଥିବା ଅଭିଯୋଗ ଆଣି ବିଜେପିର ସାମିଲ ହୋଇଛନ୍ତି ଆକାଶ । ମା’-ମାଟି ଓ ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ । ଏପଟେ ଆକାଶଙ୍କୁ ପାଛୋଟି ନେବା ସହ ଦଳର ଶକ୍ତିବୃଦ୍ଧିରେ ସହାୟକ ହେବ ବୋଲି କହିଛି ବିଜେପି ।

ଏପଟେ ବରଗଡ଼ ପାଇକମାଳ, ବୌଦ୍ଧ ଏବଂ କଂଟାମାଳ ଅଂଚଳ ଅନେକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ପାଇକମାଳର ଇଂଜିନିୟର ଆଶୁତୋଷ ସାହୁ ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । କହିଛନ୍ତି, ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି । ସେପଟେ ବୌଦ୍ଧ ଅଂଚଳର ଶେଷ କୁମାର ମେହେର ବିଜେପିରେ ସାମିଲ ହୋଇଛନ୍ତି । ୨୦୧୯ ନିର୍ବାଚନରେ କଂଟାମାଳରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ଥିଲେ । ସେହିପରି ନିଆଳି ନିର୍ବାଚନ ମଣ୍ଡଳୀର ନେତା ତଥା ପୂର୍ବତନ ବିଧାୟକ କଣ୍ଡୁରୀ ଚରଣ ମଲ୍ଲିକଙ୍କ ପୁଅ ପ୍ରମୋଦ କୁମାର ମଲ୍ଲିକ ବିଜେପିରେ ଯୋଗ ଦେଇଛନ୍ତି ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ସୁବିଧା ଓ ଯୋଗ ଦେଖି ନେତା ଦଳଡିଆଁ ପ୍ରତିଯୋଗିତାରେ ସାମିଲ ହେଉଛନ୍ତି । ତେବେ ଦେଖିବାର କଥା ନିର୍ବାଚନରେ ଏହି ମିଶ୍ରଣପର୍ବ ଦଳକୁ କେତେ ସହାୟକ ହେଉଛି ।