ରୋଗୀଙ୍କୁ ସେବା ପାଇଁ ବେଙ୍ଗାଲୁରୁ ରାସ୍ତାରେ ଦୌଡିଲେ ଡାକ୍ତର। ୩ କିଲୋମିଟର ଦୌଡି ରୋଗୀଙ୍କ ପାଖରେ ପହଞ୍ଚିଗଲେ ଡାକ୍ତର ଗୋବିନ୍ଦ ନନ୍ଦକୁମାର। 

102

କନକ ବ୍ୟୁରୋ: ରୋଗୀଙ୍କ ପାଇଁ ଡାକ୍ତର ଭଗବାନଙ୍କ ରୂପ । ଏହି ଉକ୍ତିକୁ ପୁଣି ଥରେ ଯଥାର୍ଥ କରି ଦେଖାଇଛନ୍ତି କର୍ଣ୍ଣାଟକ ବେଙ୍ଗାଲୁରୁର ଡାକ୍ତର ଗୋବିନ୍ଦ ନନ୍ଦକୁମାର । ଗ୍ୟାଷ୍ଟ୍ରୋଏଂଟ୍ରୋ-ଲୋଜିଷ୍ଟ ଭାବେ ଡାକ୍ତର ଜଣକ ନିଜ ଦାୟିତ୍ୱ ସମ୍ପାଦନା ପାଇଁ ନେଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ହସ୍ପିଟାଲକୁ ଯାଉଥିବା ସମୟରେ ଟ୍ରାଫିକ ଜାମ ଭିତରେ ଦୀର୍ଘ ସମୟ ଧରି ଫସିରହିଥିଲେ ଡାକ୍ତର ଗୋବିନ୍ଦ ନନ୍ଦକୁମାର । ଏହାପରେ ଅନ୍ୟ କୌଣସି ବାଟ ନପାଇ ଦୌଡି ଦୌଡି ଯାଇ ହସ୍ପିଟାଲରେ ପହଞ୍ଚିଥିଲେ ଡାକ୍ତର । କାରଣ କିଛି ସମୟ ପରେ ଜଣେ ରୋଗୀଙ୍କର ଅପରେସନ କରିବାର ଥିଲା ତେଣୁ ସେ ଦୌଡି ଦୌଡି ଆସି ହସ୍ପିଟାଲରେ ପହଞ୍ଚିବା ପରେ ନିଜ କାର୍ଯ୍ୟ ସମ୍ପାଦନା କରିଥିଲେ ।

ବେଙ୍ଗାଲୁରୁର ସାରଜାପୁରରୁ ମରାଥଲ୍ଲି ରାସ୍ତାରେ ପ୍ରବଳ ଟ୍ରାଫିକ ଭିତରେ ଫସିଯାଇଥିଲେ ଡାକ୍ତର । ମ୍ୟାପରେ ଦେଖିବାରୁ ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲରେ ପହଞ୍ଚିବା ପାଇଁ ୪୫ମିନିଟ ସମୟ ଲାଗିବ । କିନ୍ତୁ କିଛି ସମୟ ପରେ ବି ଟ୍ରାଫିକ ସ୍ୱାଭାବିକ ହୋଇନଥିଲା । ସେପଟେ ହସ୍ପିଟାଲରେ ଗଲବ୍ଲାଡର ଷ୍ଟୋନ ଅପରେସନ ପାଇଁ ତାଙ୍କୁ ରୋଗୀ ଅପେକ୍ଷା କରିରହିଥିଲେ । ତେଣୁ ଆଉ ବିଳମ୍ବ ନକରି ୩ କିଲୋମିଟର ବାଟ ଦୌଡି ଦୌଡି ଆସିଥିଲେ । ପରେ ପ୍ରାୟ ଅଢେଇ ଘଂଟା ପରେ ତାଙ୍କ ଡ୍ରାଇଭର ଗାଡି ନେଇ ଡାକ୍ତରଖାନାରେ ପହଂଚିଥିଲେ । ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।