ପ୍ରେମରୁ ଆରମ୍ଭ, ଅପହରଣରେ ଶେଷ: ଜଣେ ପ୍ରେମିକାକୁ ଦୁଇ ଜଣ ପ୍ରେମିକ!

314

କନକ ବ୍ୟୁରୋ: ପ୍ରେମରୁ ଅପହରଣ । ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ଜଣେ ପ୍ରେମିକ ଅନ୍ୟ ଜଣେ ପ୍ରେମିକଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏହି ଅପହରଣ ନାଟକ ପଛରେ ପ୍ରେମିକାର ଭାଇ ମଧ୍ୟ ସାମିଲ ଥିବା ଜଣାପଡିଛି । ରାଜଧାନୀରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଥମେ ବାନ୍ଧବୀଙ୍କୁ ପ୍ରେମ, ପରେ ପ୍ରେମରେ ବିଫଳ ହୋଇ ବାନ୍ଧବୀଙ୍କ ଦ୍ୱିତୀୟ ପ୍ରେମିକଙ୍କୁ ଅପହରଣ । କିଛି ଏଭଳି ରୋଚକ ଖବର ଘଟିଛି ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀର ଜଣେ ଯୁବତୀଙ୍କ ସହ ଅଙ୍କିତ କଅଁର ନାମକ ଜଣେ ଯୁବକଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ହେଲେ ସେହି ଯୁବକଙ୍କ ସହ କୌଣସି କାରଣରୁ ଯୁବତୀଙ୍କ ଝଗଡା ହୋଇଥିଲା । ପରବର୍ତୀ ସମୟର ଯୁବତୀ ଜଣକ ତାଙ୍କର ଆଉଜଣେ ପୁରୁଷ ବନ୍ଧୁ ରାଜା ସେଠୀଙ୍କ ନିକଟତର ହୋଇଥିଲେ । ଏହାକୁ ସହି ପାରିନଥିଲା ପ୍ରଥମ ପ୍ରେମିକା ଅଙ୍କିତ । ରାଗ ସୁଝାଇବା ପାଇଁ ନିଜ ବନ୍ଧୁମାନଙ୍କ ସହ ମିଶି ରାଜାଙ୍କୁ ଖଣ୍ଡା ଦେଖାଇ ଅପହରଣ କରିନେଇଥିଲେ ।

ପୋଲିସର ସୂଚନା ଅନୁଯାୟୀ ଯୁବତୀ ଓ ଅଙ୍କିତ ଦିର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ଉଭୟଙ୍କ ସମ୍ପର୍କ ବିଷୟରେ ଯୁବତୀଙ୍କ ଭାଇ ପ୍ରକାଶ ମଧ୍ୟ ଅବଗତ ଥିଲେ । ଯୁବତୀ ଓ ଅଙ୍କିତଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ରାଜା ସେଠୀଙ୍କ ସହ ଘନିଷ୍ଠତା ବଢାଇଥିଲେ ଯୁବତୀ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ଅଙ୍କିତ । ଯୁବତୀଙ୍କ ଭାଇ ପ୍ରକାଶ ନାୟକ ମଧ୍ୟ ଚାହୁଁ ନଥିଲେ ଯେ, ତାଙ୍କ ଭଉଣୀ ଓ ରାଜା ଏକାଠି ରୁହନ୍ତୁ । ତେଣୁ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୁବତୀଙ୍କ ଭାଇ ପ୍ରକାଶ ଓ ପ୍ରଥମ ପ୍ରେମିକ ଅଙ୍କିତ ମିଳିତ ଭାବେ ଯୋଜନା କରିଥିଲେ । ଗତ ୧୨ ତାରିଖ ଦିନ ଭୁବନେଶ୍ୱର ପାସପୋର୍ଟ ଅଫିସ ନିକଟରେ ଯୁବତୀଙ୍କ ସହ ରାଜା କଥା ହେଉଥିବା ସମୟରେ ଏକ ବାଇକରେ ଆସି ଖଣ୍ଡା ଦେଖାଇ ରାଜାଙ୍କୁ ଅପହରଣ କରିନେଇଥିଲେ ।

ଯୁବତୀ ଜଣକ ଏନେଇ ନୟାପଲ୍ଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ପୋଲିସ । ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ପୁରୀରୁ ଅପହୃତ ହୋଇଥିବା ରାଜାଙ୍କୁ ଉଦ୍ଧାର କରିବା ସହ ଅପହରଣ ଘଟଣାରେ ସାମିଲ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ଅପହରଣରେ ବ୍ୟବହୃତ ଖଣ୍ଡା ମଧ୍ୟ ଜବତ କରାଯାଉଛି ।