ଖଣ୍ଡିଆ ସାବୁନରେ ସୁନ୍ଦର କଳାକୃତି : ସତ୍ୟବ୍ରତଙ୍କ ସ୍ପର୍ଶରେ ଜୀବନ୍ତ ହୋଇଉଠନ୍ତି ଦେବାଦେବୀ,  କଳା ବଞ୍ଚାଇବା ବାଟରେ କଣ୍ଟା ସାଜିଛି ଅର୍ଥ

357

କନକ ବ୍ୟୁରୋ : ସାବୁନରେ ସୁନ୍ଦର କଳାକୃତି । ଦେଖିଲେ ଆଖି ଲାଖିଯିବ । ବିଭୋର ହୋଇ ଚାହିଁ ରହିବେ । ନିଜ ନିଆରା କଳା ସାହାଯ୍ୟରେ ସାବୁନକୁ ଜୀବନ୍ତ ରୂପ ଦିଅନ୍ତି ଖୋର୍ଦ୍ଧା ଜିଲ୍ଲା଼ ବାଘମାରୀ ଗାଁର ସତ୍ୟବ୍ରତ  । ଯେଉଁଠି ଖଣ୍ଡିଆ ଦରଦା ସାବୁନ ଖଣ୍ଡେ ପାଇଲେ ବସିଯାଆନ୍ତି ଚାଳ ଛପର ଘରର ମାଟି ପିଣ୍ଡାରେ । ଘଣ୍ଟା ଘଣ୍ଟା ପରିଶ୍ରମ କରି ଆଖି ଝଲସିିଲା ପରି ସୁନ୍ଦର ସୁନ୍ଦର ମୂର୍ତ୍ତୀ  ତିଆରି କରନ୍ତି । ହେଲେ ଆର୍ଥିକ ଅନାଟନ ତାଙ୍କ କଳାରେ କଣ୍ଟା ସାଜୁଛି । ସରକାରୀ ପ୍ରୋତ୍ସାହନର ଅଭାବରେ ବଣମଲ୍ଲୀ ବଣରେ ଫୁଟି ବଣରେ ଲୁଚିରହିଛି । ସତ୍ୟବ୍ରତଙ୍କ ନିଆରା କଳା ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନି । 

ବାଘମାରୀ ଗାଁର ସତ୍ୟବ୍ରତ । ବାପା ପର ଦୁଆରେ ମୂଳ ଲାଗନ୍ତି । ଘରର ଆର୍ଥିକ ଅବସ୍ଥା ନାହିଁ । ଚାଳଛପର ଘର ଦେଇ ଉଙ୍କି ମାରୁଛି ସୂର୍ଯ୍ୟ । ଅର୍ଥ ଅଭାବରୁ ମାଟ୍ରିକ ପରେ ପାଠପଢ଼ା ଡ଼ୋର ବନ୍ଧା ହୋଇଥିଲା । ପିଲାବେଳୁ ସତ୍ୟବ୍ରତଙ୍କ କଳା ପ୍ରତି ବେଶ୍ ଦୁର୍ବଳତା । ତାଙ୍କ ହାତରେ ଯେପରି ଯାଦୁ ଅଛି । ମାଟି କି କାଠରେ ନୁହେଁ, ଖଣ୍ଡିଆ ସାବୁନରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତୀ ତିଆରି କରିଚାଲିଛନ୍ତି । ଅତି ସୁନ୍ଦର ଭାବେ ଗଣେଶ, ଶିବ, ରାଧାକୃଷ୍ଣ ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଗଢ଼ିପାରୁଛନ୍ତି । ଆର୍ଥିକ ଅନଟନ ସତ୍ୱେ କଳାକୁ ରୁଦ୍ଧିମନ୍ତ କରିଚାଲିଛନ୍ତି । ଦିନ ଦିନ ପରିଶ୍ରମ କଲେ ଗୋଟିଏ ସାବୁନ ମୂର୍ତ୍ତୀ ପାଇଁ ତାଙ୍କୁ ୧୦୦ରୁ ୧୫୦ ଟଙ୍କା ମିଳେ । ଘର ସଜାଇବା ପାଇଁ ଲୋକେ ସାବୁନ ମୂର୍ତ୍ତୀ କିଣିନେଇ ଯାଉଥିଲେ ହେଁ ତାଙ୍କୁ ଉଚିତ ପାରିଶ୍ରମିକ ମିଳିପାରୁ ନାହିଁ । 

ପେଟ ପୋଷିବା ପାଇଁ କଳାଦ୍ୱାରା ଅର୍ଜିତ ଟଙ୍କା ନିଅଣ୍ଟ ହେଉଥିଲେ ହେଁ କଳାକୁ ବଂଚାଇ ରଖିଛନ୍ତି । ଭଙ୍ଗା ଦୁଆରେ କଳାକୁ ବଂଚାଇ ରଖିବା ପାଇଁ ଅବିରାମ ପ୍ରୟାସ କରୁଛନ୍ତି ସତ୍ୟବ୍ରତ । ମୂର୍ତ୍ତିଗୁଡ଼ିକୁ ରଖିବାକୁ ଘରେ ଜାଗା ନାହିଁ । ବର୍ଷା ହେଲେ ସବୁ ଓଦା ହୋଇ ନଷ୍ଟ ହୋଇଯାଉଛି । ସରକାରୀ ପ୍ରୋତ୍ସାହନର ଅଭାବ ଯେ ତାଙ୍କ ଇଚ୍ଛାଶକ୍ତିକୁ ଦୁର୍ବଳ କରିନଦେବ ଏକଥାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ  । ତାଙ୍କ କଳା ଗାଁରେ ସୀମିତ ନରହି ସହରକୁ ଗଲେ ଆଦୃତ ହୋଇପାରନ୍ତା ସେ  ବୋଲି ପ୍ରକାଶ କରିଛନ୍ତି ।  ଏଯାଏଁ ସତ୍ୟବ୍ରତଙ୍କ କଳାର ବିକାଶ ପାଇଁ କିଛି ସହାୟତା ପାଇ ନାହାନ୍ତି । ସରକାରୀ ସହାୟତା ମିଳିଲେ କଳାକୃତ୍ତି ହଜିଯିବାର ଅନେକ ଆଶଙ୍କା ରହିଛି ।