ବନ୍ୟା ପାଣି ପଶିଯିବାରୁ ନଷ୍ଟ ହୋଇଗଲା ପାନ ବରଜ: ମୂଳ ପଚିଯିବାରୁ ଚାଷୀ ମୁଣ୍ଡରେ ଚଡକ

127

କନକ ବ୍ୟୁରୋ: ବର୍ତମାନ ସ୍ଥିତିରେ ଚାଷ କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି । କମ୍ପାନୀ ଅଣ୍ଡରରେ କାମ କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ କାମ କରୁଛନ୍ତି ଅଧିକାଂଶ ଲୋକ । କିନ୍ତୁ ପ୍ରାକୃତିକ ବିପର୍ଯୟ ବନ୍ୟା, ବାତ୍ୟା ଭଳି ଦୈବି ଦୁର୍ବିପାକ ଚାଷୀଙ୍କୁ ଅଧିକାଂଶ ସମୟରେ ଅସୁବିଧାରେ ପକାଉଛି । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାରିଆରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି । ଏହାରି ଭିତରେ ନିଆଳି ଅଂଚଳର ଅଧିକାଂଶ ଚାଷୀଙ୍କ ପାନ, ଧାନ ଏବଂ ପରିବା ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି । ଫଳରେ ପରିବାର ପ୍ରତିପେଷଣ ପାଇଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ନିଆଳି ଅଂଳର ଅଧିକାଂଶ ଚାଷୀ ପାନ ଚାଷ କରି ପରିବାର ପ୍ରତିପୋଷଣ କରିଥାଆନ୍ତି । କିନ୍ତୁ ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପାନ ଚାଷୀଙ୍କ ମେରୁଦଣ୍ଡ ଦୋହାଲାଇ ଦେଇଛି । ପାଣିରେ ବୁଡ଼ି ରହିଛି ପାନ ଗଛ । ପାନ ବରଜରେ ପାଣି ପଶିବାରୁ ପାନ ଗଛ ଝାଉଁଳି ଯିବା ସହ ଗଛ ପୋଚା ହେବାକୁ ବସିଲାଣି । ଫଳରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏହି ଚାଷ ଉପରେ ନିର୍ଭର କରିଥିବା ଚାଷୀ କିପରି ରୁଣ ସୁଝିବ ତାକୁ ନେଇ ଚିନ୍ତାରେ ପଡ଼ିଛି ।

ଖାଲି ପାନ ଚାଷ ନୁହେଁ ବନ୍ୟା ପାଣିରେ ବୁଡ଼ି ରହିଛି ହେକ୍ଟର ହେକ୍ଟର ଧାନ ଚାଷ । ଦେବୀ ନଦୀରେ ବନ୍ୟା ଆସିବା ଫଳରେ ନଦୀ ପଠାରେ ହୋଇଥିବା କଖାରୁ, ବାଇଗଣ, ଭେଣ୍ଡି, କଂଚାଲଙ୍କା, ଜହ୍ନି, କାକୁଡ଼ି, କଲରା ଓ ପୋଟଳ ଭଳି ପନିପରିବା ନଷ୍ଟ ହୋଇଛି । ଶହ ଶହ ହେକ୍ଟର ପନିପରିବା ଉପରେ ୧୦ ଫୁଟର ପାଣି ପ୍ରବାହିତ ହେଉଛି । ଚାଷ ଜମିରେ ଚାଲିଛି ଡ଼ଙ୍ଗା ।

ଧାନ, ପାନ ଓ ପନିପରିବା ଚାଷ ନଷ୍ଟ ହେବା ପରେ କେମିତି ବଂଚିବେ କେମିତି ପରିବାର ଚଳାଇବେ ତାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ପୂର୍ବରୁ ଚାଷ ନଷ୍ଟ ହୋଇଥିଲେ ବି ଟଙ୍କାଟିଏ ମିଳିନଥିବାରୁ ସରକାରଙ୍କ ଉପରେ ଭରଷା କରିପାରୁନି ଚାଷୀ । ଏ ଦୃଶ୍ୟ ହେଉଛି ନିଆଳି ବ୍ଲକ ଅନ୍ତର୍ଗତ ନୂଆବେତଣ୍ଡା ଗାଁ ଚାଷ ଜମିର । ବର୍ଷକର ଆହାର ଭସେଇ ନେଇଛି ଦେବୀ ନଦୀର ବନ୍ୟା ପାଣି । ଚାଷ ଜମିକୁ ଯିବା ପାଇଁ ହେଲେ ଲୋକଙ୍କୁ ଡ଼ଙ୍ଗା ସହାୟତା ନେବାକୁ ପଡ଼ୁଛି ।

ଅନ୍ୟପଟେ ବନ୍ୟା ସମୟରେ ଚାଷୀଙ୍କ ଫସଲ ନଷ୍ଟ ହେବା ପରେ ବଜାରରେ ପରିବା ଦରରେ ଲାଗିଛି ନିଆଁ । ୫୦ ଟଙ୍କା ଉପରେ ରହିଛି ସବୁ ପରିବାର ଦର । ଫଳରେ ଉଭୟ ଖାଉଟି ଏବଂ ଚାଷୀ ଜୀବନ ଜୀବିକାକୁ ଚିନ୍ତାରେ ପଡ଼ିଛନ୍ତି ।