ଆଗକୁ ଆସୁଛି ପାର୍ବଣର ଋତୁ: ଏବେଠୁ ମୂର୍ତି ଗଢିବାରେ ବ୍ୟସ୍ତ କାରିଗର

79

କନକ ବ୍ୟୁରୋ: ଆଗକୁ ଆସୁଛି ଗଣେଷ ପୂଜା । ଏଥିପାଇଁ ବିଘ୍ନରାଜ ଗଜାନନଙ୍କ ମୃଣୟୀ ମୂର୍ତି ପ୍ରସ୍ତୁତ କରୁଛନ୍ତି କାରିଗର । ତେବେ ନିମାପଡ଼ା ଅଂଚଳରେ ଜଣେ ଯୁବକ ଗ୍ରାଜୁଏସନ୍ ପାସ କରିବା ପରେ ମାଟି ମୂର୍ତି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଛନ୍ତି । ନିମାପଡ଼ା ଅଂଚଳରେ ଥିବା ଝାମ୍ପୁଲାକୁଦ ଠାରେ ମାଟିମୂର୍ତ୍ତୀ ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।

ଆଗକୁ ଆସୁଛି ପାର୍ବଣର ରୁତୁ । ଏବେଠୁ ମୂର୍ତି ଗଢିବାରେ ବ୍ୟସ୍ତ ଅଛନ୍ତି କାରିଗର । ଆଉ ଏଭଳି ବୃତିକୁ ଆପଣାଇ ଭଲ ବ୍ୟବସାୟ ଆଶା ରଖିଛନ୍ତି ନିମାପଡ଼ା ଅଂଚଳର ମୂର୍ତି କାରିଗର ଚନ୍ଦ୍ରଶେଖର ।

ଗ୍ରାଜୁଏସନ ପରେ ଚାକିରି ପଛରେ ଧାଇଁ ନିରାଶ ହେବା ପରେ ନିଜେ କିଛି କରିବାର ସ୍ୱପ୍ନ ନେଇ ଆରମ୍ଭ କରିଥିଲେ ମାଟିରେ ବିଭିନ୍ନ ପ୍ରକାରର ମୂର୍ତି ନିର୍ମାଣ କାମ । ପିଲାଟି ଦିନରୁ ମାଟିରେ ମୂର୍ତ୍ତୀ ଗଢ଼ିବାର କଳା ପ୍ରତି ତାଙ୍କର ଖୁବ୍ ଆଗ୍ରହ ରହିଥିଲା । ହେଲେ ଉପଯୁକ୍ତ ରାସ୍ତା ପାଇନଥିଲେ । ମୂର୍ତି ଗଢିବା ପାଇଁ ତାଙ୍କୁ ଉପଯୁକ୍ତ ଗୁରୁ ମିଳଯିବା ପରେ ଏହି କଳାରେ ସେ ଆଗକୁ ବଢିଥିଲେ । ସିଜିନ ବ୍ୟବସାୟ ହୋଇଥିବାରୁ ଗୋଟିଏ ସିଜିନରେ ଅନେକ ଦେବାଦେବୀଙ୍କ ମୂର୍ତ୍ତୀ ନିର୍ମାଣ କରି ତାକୁ ବିକ୍ରିବଟା କରି ବେଶ ଭଲ ଦୁଇପଇଶା ରୋଜଗାର କରୁଛନ୍ତି ଚନ୍ଦ୍ରଶେଖର । ଦେବାଦେବୀଙ୍କ ମୂର୍ତି ନିର୍ମାଣ କରି ତାଙ୍କୁ ଆତ୍ମସନ୍ତୋଷ ମିଳୁଥିବା ସେ କହିଛନ୍ତି ।

ଦାମ୍ ୧ ହଜାର ଟଙ୍କାରୁ ୨୦ ହଜାର ପର୍ଯ୍ୟନ୍ତ ରହିଛି । ପାଖାପାଖି ୧୦ ବର୍ଷ ହେଲା ଏହି ବୃତିକୁ ଆପଣାଇ ଆତ୍ମନିର୍ଭର ହୋଇପାରିଛନ୍ତି ଚନ୍ଦ୍ରଶେଖର । ଏହା ସହ ତାଙ୍କ ପାଖରେ ସ୍ଥାନୀୟ ଅଂଚଳର ଯୁବକ ମାନେ କାମ କରି ରୋଜଗାର କରିପାରୁଛନ୍ତି । ଏବେ ଚନ୍ଦ୍ରଖେରଙ୍କ ପାଖରେ ୪ରୁ୫ ଜଣ କାରିଗର କାମ କରି ତାଙ୍କ ପରିବାର ପ୍ରତିପୋଷଣରେ ସହାୟତା କରୁଛନ୍ତି ।
ଚନ୍ଦ୍ରଶେଖରଙ୍କ ମୂର୍ତି କଳାରେ ଆକୃଷ୍ଟ ହୋଇ ଅନେକ ଗ୍ରାହକ ମୂର୍ତି କିଣିବାକୁ ଆକୃଷ୍ଟ ହୋଇଥାଆନ୍ତି । ଖାଲି ସେତିକିନୁହେଁ ଅନ୍ୟ ବ୍ୟବସାୟୀଙ୍କ ଅପେକ୍ଷା ଦାମ ମଧ୍ୟ କମ ରହିଥାଏ । ତେଣୁ ଲୋକେ ତାଙ୍କ ଠାରୁ ବେଶ ଖୁସିରେ କିଣିନେଇଥାଆନ୍ତି ।

ଆଜିର ଯୁବପିଢ଼ି ପାଠପଢ଼ା ସାରିବା ପରେ ଚାକିରୀ ପଛରେ ପଡ଼ି ଶେଷରେ କାମଧନ୍ଦା ନପାଇ କୁପଥଗାମୀ ହୋଇପଡ଼ୁଛନ୍ତି । ଆଉ ଚନ୍ଦ୍ରଶେଖର ସେମାନଙ୍କ ପାଲଟିଛନ୍ତ ରୋଲମଡ଼େଲ ।