ବାରବାଟୀ ଟି-୨୦ : ବର୍ଷା ହେବନି ବାଧକ; ବର୍ଷାରୁ ପିଚକୁ ସୁରକ୍ଷା ଦେବ ‘ହୋଭର କଭର’

558

କନକ ବ୍ୟୁରୋ : ଏଥର ପୂର୍ଣ୍ଣ ଦର୍ଶକରେ ଖେଳାଯିବ ବାରବାଟୀ ଟି-୨୦ ମ୍ୟାଚ୍ । ଶତ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତି ନେଇ ବିସିସିଆଇ ସୂଚନା ଦେଇଛି । ଜୁନ୍ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ହେଲେ ବଡ କଥା ହେଉଛି ଏଣିକି ବର୍ଷା ହେଲେ ବି ବାରବାଟୀରେ ଖେଳାଯାଇପାରିବ ମ୍ୟାଚ୍ । ବର୍ଷାରୁ ପିଚକୁ ସୁରକ୍ଷା ଦେବା ପାଇଁ ହୋଭର କଭର’ର ବ୍ୟବସ୍ଥା କରାଯାଇଛି ।

ଯାହା ଆସନ୍ତା ଜୁନ୍ ୧୦ ତାରିଖ ସୁଦ୍ଧା କଟକରେ ପହଞ୍ଚିବାର ଯୋଜନା ଅଛି । କଟକ ମ୍ୟାଚ୍ ବେଳକୁ ଓଡିଶାରେ ମୌସୁମୀ ସକ୍ରିୟ ହୋଇସାରିଥିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡିଛି । ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶାରେ ପହଞ୍ଚି ସାରିଥିବ । ତେଣୁ ଜୁନ୍ ୧୨ରେ ହେବାକୁ ଥିବା ବାରବାଟୀ ଟି-୨୦ ମ୍ୟାଚ ପାଇଁ ପୂରା ପ୍ରସ୍ତୁତ ରହିଛି ଆୟୋଜକ ଓସିଏ । ବର୍ଷା ହେଲେ ବି ମ୍ୟାଚରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି । କାରଣ ଏଥର ‘ସ୍ୟାଣ୍ଡ ବେସ୍ ଫିଲ୍ଡ’ ବା ବାଲି ଭିତ୍ତିଭୂମି ଉପରେ ନିର୍ମିତ ପଡିଆରେ ଖେଳାଯିବ ମ୍ୟାଚ୍ ।

ସେହିପରି ପିଚକୁ ସୁରକ୍ଷା ଦେବା ପାଇଁ ଓସିଏ ପକ୍ଷରୁ ‘ହୋଭର କଭର’ ମଗାଯାଇଛି । ଏହି କଭର ସୂକ୍ଷ୍ମ ଫାଇବରର । ଏହାର ବ୍ୟବହାର ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ହୋଇଆସୁଛି । ଇଲଣ୍ଡର ଏକ କମ୍ପାନୀ ଠାରୁ ଓସିଏ ଏହାକୁ କିଣିଛି । ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଛି ଓସିଏ । ମ୍ୟାଚର ଦୁଇଦିନ ପୂର୍ବରୁ ଏହା କଟକ ଆସି ପହଞ୍ଚିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।