ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ହେଉଛି ପତୁଆ। ଅର୍ଡ଼ର କଲେ ଘରେ ପହଂଚୁଛି ଛତୁ, ଚୁନାମାଛ । ଉଦାହରଣ ପାଲଟିଛନ୍ତି ବାଲେଶ୍ୱର ଅଂଚଳର ମହିଳା ।

372

କନକ ବ୍ୟୁରୋ: ପତୁଆ ବା ପତ୍ରପୋଡା ଖାଇବାକୁ କିଏ ବା ଭଲ ନପାଏ । ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ଉପଯୋଗୀ । ଦିନକୁ ଦିନ ଚୁଲିରେ ରୋଷେଇ କମ୍ ହେଉଥିବା ବେଳେ ଦେଶୀ ପଦ୍ଧତିରେ ପ୍ରସ୍ତୁତ ଥିବା ଏହି ପତ୍ରପୋଡ଼ା ଖାଦ୍ୟ ଏବେ ଖାଇବା ଥାଳିରୁ ଉଭାନ ହେଲାଣି । କିନ୍ତୁ ଏହି ପାରମ୍ପାରିକ ଖାଦ୍ୟକୁ ବଂଚାଇ ରଖିବା ସହ ଏହାକୁ ପ୍ରସ୍ତୁତ କରି ରୋଜଗାରକ୍ଷମ ହେଉଛନ୍ତି ବାଲେଶ୍ୱରର ଅନେକ ମହିଳା । ବାଦାମ, ଛତୁ, କୋଇଲି ରୁଖା, ଚୁନାମାଛ, ହିଡ଼ିମିଚା, ମଦରଙ୍ଗା ଭଳି ଦେଶି ଜିନିଷରେ ପାରମ୍ପରିକ ପଦ୍ଧତିରେ ପତୁଆ ପ୍ରସ୍ତୁତ କରି ଅଳ୍ପ ସମୟ ଭିତରେ ଲୋକଙ୍କ ଘରେ ପହଁଚାଉଛନ୍ତି । ୧୨ ଜଣ ମହିଳା ଏକାଠି ହୋଇ ଏହି ସବୁ ଜିନିଷ ପ୍ରସ୍ତୁତ କରି ପ୍ରାୟ ୨୩ ପ୍ରକାରର ପତ୍ରପୋଡ଼ା ବା ପତୁଆ ପ୍ରସ୍ତୁତ କରୁଛନ୍ତି  ।

ପାରମ୍ପାରିକ ଶୈଳୀରେ ଶିଳବଟା ମସଲା ଦେଇ, କଦଳୀପତ୍ରରେ ଏହି ସବୁ ସାମଗ୍ରୀକୁ ବାନ୍ଧି ଚୁଲିରେ ପତ୍ରପୋଡ଼ା ପ୍ରସ୍ତୁତ କରୁଛନ୍ତି ମହିଳା । ପତୁଆ ତିଆରି କରିବାର ସମସ୍ତ ସାମଗ୍ରୀ ହାତ ପାହାନ୍ତାରେ ମିଳୁଥିବାରୁ ରୋଷେଇ ସରିବାର ୨ଘଂଟା ଭିତରେ ମାଟି ଚୁଲିରେ ପୋଡି ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହେଉଛି । ପତୁଆ ପ୍ରସ୍ତୁତ ହେବା ପରେ ଆଲୁମିନିୟମ ଫଏଲ ଭିତରେ ଭର୍ତି କରି ପ୍ରସ୍ତୁତକାରୀ ମହିଳାଙ୍କ ନାମ ଲେଖାଯାଇ ଅର୍ଡ଼ର କରିଥିବା ଗ୍ରାହକଙ୍କ ପାଖରେ ପହଁଚାଯାଉଛି ।  ଫଳରେ ପତୁଆ ପ୍ରସ୍ତୁତ କରିଥିବା ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିବ । ଆଉ ଏହାକୁ ଲୋକଙ୍କ ପାଖରେ ପହଂଚାଉଛି ଯୁବ ବିକାଶ ସଂଗଠନ ।

ପତୁଆ ପରି ପାରମ୍ପରିକ ଖାଦ୍ୟ ହଜିବାକୁ ବସିଥିବାବେଳେ ଏହାକୁ ତିଆରି କରି ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଆ ପରମ୍ପରାକୁ ବଜାୟ ରଖିବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପତୁଆ ପ୍ରସ୍ତୁତ କରୁଥିବା ମହିଳା ।