ଜମି ବିକି ଜଗନ୍ନାଥଙ୍କୁ ଦାନ କଲେ ମହିଳା: ସ୍ୱାମୀଙ୍କ ଇଛା ପୂରଣ କରିବାକୁ ୨୦ ଲକ୍ଷ ଟଙ୍କା କଲେ ଦାନ

80

କନକ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତିକୁ ଚଂଚକତା କରି ହଡପ କରିବା ଭଳି ଖବର ବାରମ୍ବାର ସାମ୍ନାକୁ ଆସୁଛି । ଶ୍ରୀଜଗନ୍ନାଥଙ୍କ ଜମି ଫେରାଇ ଆଣିବାକୁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଅନେକ ସମୟରେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଛନ୍ତି । ଏଭଳି ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଅଂଚଳ ସଦାନନ୍ଦପୁରର ୭୦ ବର୍ଷୀୟ ମହିଳା ସୁପ୍ରଭା ପଣ୍ଡା ନିଜ ଜମି ବିକ୍ରି କରି ମହାପ୍ରଭୁଙ୍କ ୨୦ ଲକ୍ଷ ଟଙ୍କା ଦାନ କରିବା ଭଳି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲେଶ୍ୱର ଜିଲ୍ଲା ସଦାନନ୍ଦପୁର ଗାଁର ୭୦ ବର୍ଷୀୟ ମହିଳା ସୁପ୍ରଭା ପଣ୍ଡା । ନିଜ ଜମିକୁ ବିକ୍ରି କରି ସେ ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ବଢିଛି । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସହଯୋଗରେ ପୁତୁରୁା ଚିନ୍ମୟ ଶତପଥୀଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଂଚି ଚେକ ଆକାରରେ ୨୦ ଲକ୍ଷ ଟଙ୍କା ଦେଇଛନ୍ତି । ତେବେ ଏହି ଟଙ୍କା ଦାନ ନୁହେଁ, ମହାପ୍ରଭୁଙ୍କ ସେବା ଉଦ୍ଦେଶ୍ୟର ଦେଇଥିବା ସେ କହିଛନ୍ତି ।

ସୁପ୍ରଭା ପଣ୍ଡାଙ୍କ ସ୍ୱର୍ଗତ ସ୍ୱାମୀ ପଙ୍କଜକାନ୍ତ ପଣ୍ଡାଙ୍କ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ ଓ ତାଙ୍କ ଇଚ୍ଛା ଥିଲା ଶ୍ରୀମନ୍ଦିରକୁ କିଛି ସହାୟତା କରିବା । ହେଲେ କର୍କଟ ରୋଗରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ସ୍ୱାମୀଙ୍କ ଶେଷ ଇଛା ପୂରଣ କରିବା ପାଇଁ କଟକର ଏକ ଜମିକୁ ବିକ୍ରି କରିଦେଇଛନ୍ତି ସୁପ୍ରଭା । ଜମି ବିକ୍ରିରୁ ମିଳିଥିବା ୩୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଶ୍ରୀମନ୍ଦିରକୁ ଓ ୧୫ଲକ୍ଷ ଟଙ୍କା ଗାଁ ସ୍କୁଲକୁ ଦାନ କରିଦେଇଛନ୍ତି ।