ଶ୍ରୀମନ୍ଦିର ଅଭିମୁଖେ ଗଡିଲା ବଡଠାକୁରଙ୍କ ରଥ : ଶରଧାବାଲିରୁ ତାଳଧ୍ୱଜ ରଥକୁ ଟାଣିନେଉଛନ୍ତି ଶ୍ରଦ୍ଧାଳୁ

69

କନକ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶେଷ ପରେ ପୁନର୍ବାର ରଥରେ ବସି ତିନି ଠାକୁର ରତ୍ନବେଦୀ ଅଭିମୁଖେ ମହାପ୍ରଭୁ । ତେବେ ନୀତି ନିର୍ଘଂଟ ଅନୁସାରେ ସମସ୍ତ ରୀତିନୀତି ସୁରୁଖୁରରେ ସଂପନ୍ନ ହୋଇଛି । ମଧ୍ୟାହ୍ନ ସୁଦ୍ଧା ପହଣ୍ଡି ନୀତି ଏବଂ ପରେ ଛେରାପହଁରା ନୀତି ଶେଷ ହୋଇଛି । ନିର୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ।

ତେବେ ମହାପ୍ରଭୁଙ୍କ ଇଚ୍ଛା ନ ଥିଲେ କିଛି ବି ହୁଏ ନାହିଁ। ପୂର୍ବରୁ ସ୍ଥିରୀକୃତ ହୋଇଥିଲା କି ଅପରାହ୍ନ ୪ଟା ସମୟରେ ରଥଟଣା ଆରମ୍ଭ ହେବ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ନ ପ୍ରାୟ ୧.୩୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ବର୍ଷା ହୋଇଥିଲେ ହେଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉତ୍ସାହ ପୂର୍ବବତ୍ ଜାରି ରହିଛି । ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ତାଳଧ୍ୱଜ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଧୀରେଧୀରେ ଗଡ଼ିବାରେ ଲାଗିଛି ତାଳଧ୍ୱଜ। ରଥର ଚତୁଃପାର୍ଶ୍ୱରେ ପୁଲିସ ପକ୍ଷରୁ କର୍ଡନ କରାଯାଇଛି। ଫଳରେ ବିନା କୌଣସି ଅସୁବିଧାରେ ଚାଲିଛି ରଥଟଣା କାର୍ଯ୍ୟ।