କୋହଲିଙ୍କ ଠାରୁ ଶିଖନ୍ତୁ ବାବର ଆଜମ, ପାକିସ୍ତାନ ଅଧିନାୟକଙ୍କ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର । କହିଲେ ବାବରଙ୍କ ଜିଦି ପାଇଁ ପାକିସ୍ତାନକୁ ହେଉଛି ସମସ୍ୟା ।

250

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ମାତ୍ ଖାଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଛି ପାକିସ୍ତାନ । ଏହାସହ ଦ୍ୱିତୀୟଥର ଟି-୨୦ ବିଶ୍ୱକପ୍ ଫାଇନାଲ ଟ୍ରଫି ହାତେଇବା ସ୍ୱପ୍ନ ପାକିସ୍ତାନର ଧୂଳିସାତ୍ ହୋଇଛି । ଚଳିତ ଟି-୨୦ ବିଶ୍ୱକପରେ ଅନେକଥର ପାକିସ୍ତାନକୁ ଭାଗ୍ୟ ସାଥ୍ ଦେଇଛି । ଯାହା ବଳରେ ପାକିସ୍ତାନ ଫାଇନାଲ ଟିକେଟ ହାତେଇଥିଲା । ତେବେ ଦଳ ସିନା ଫାଇନାଲରେ ଏ ଣ୍ଟ୍ରି କରିଥିଲା କିନ୍ତୁ ଅଧିନାୟକ ବାବର ଆଜମଙ୍କ ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅର୍ଦ୍ଧଶତକକୁ ଛାଡିଦେଲେ ଅନ୍ୟ କୌଣସି ମ୍ୟାଚରେ ନିଜର ବ୍ୟାଟିଂ ଯାଦୁ ଦେଖାଇପାରିନଥିଲେ ବାବର । ଯେଉଁଥିପାଇଁ ପାକିସ୍ତାନରେ ବାବରଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି । କ୍ରିକେଟପ୍ରେମୀ ଓ ପୂର୍ବତନ କ୍ରିକେଟର ଦଳ ବିଜୟ ନହେବା ପଛରେ ବାବରଙ୍କୁ ହିଁ ଦାୟୀ କରୁଛନ୍ତି । କାରଣ ଉଭୟ ପ୍ରଦର୍ଶନ ଓ ନେତୃତ୍ୱ ନେବାରେ ବିଫଳ ହୋଇଛନ୍ତି ବୋଲି ପାକିସ୍ତାନ କ୍ରିକେଟପ୍ରେମୀ କହୁଛନ୍ତି ।

ବାବରଙ୍କ ପ୍ରଦର୍ଶନକୁ ନେଇ ଏବେ ମୁହଁ ଖୋଲିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଦାନିଶ କାନେରିଆ । ଟି-୨୦ ବିଶ୍ୱକପରେ ବାବରଙ୍କ ପ୍ରଦର୍ଶନକୁ ନେଇ ସମାଲୋଚନା କରିଛନ୍ତି କାନେରିଆ । ଏପରିକି ଦଳର ଭଲ ପାଇଁ ବାବର ଜିଦି ଛାଡିବା ସହ ଓପନିଂ ସ୍ଲଟ ଛାଡିଦେବା ଉଚିତ୍ ବୋଲି କହିଛନ୍ତି କାନେରିଆ । କେବଳ ଏତିକି ନୁହେଁ କୋହଲିଙ୍କୁ ପ୍ରଂଶସା କରିବା ସହ ତାଙ୍କ ଠାରୁ କିଛି ଶିଖିବାକୁ ବାବରଙ୍କୁ ପରାମର୍ଶ ଦେଇଛନ୍ତି କାନେରିଆ ।

କାନେରିଆ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ବାବର ଆଜମ ଏବେ ନିଜର ଓପନିଂ ସ୍ଥାନ ନ ଛାଡିବା ଜିଦିରେ ଅଟଳ ରହିଛନ୍ତି । ପିଏସଏଲରେ କରାଚୀ କିଙ୍ଗସ ପକ୍ଷରୁ ଖେଳୁଥିବା ବେଳେ ମଧ୍ୟ ବାବର ଏମିତି କରୁଥିଲେ । ବାବର ଏମିତି କରିବାର କାରଣ ସେ ମଧ୍ୟକ୍ରମରେ ବ୍ୟାଟିଂ କରିପାରିବେ ନାହିଁ । ଆଉ ବାବରଙ୍କ ଏହି ଜିଦି କାରଣରୁ ପ୍ରଥମରୁ ଧୀମା ଇନିଂସ ଦେଖିବାକୁ ମିଳୁଛି ଯାହା ପାକିସ୍ତାନ ଟିମକୁ ସମସ୍ୟାରେ ପକାଉଛି । ଏହାଛଡା ଯେତେବେଳେ ନିଃସ୍ୱାର୍ଥପର କଥା ଉଠେ ସେତେବେଳେ କୋହଲିଙ୍କ ଠାରୁ ଭଲ ଉଦାହରଣ ଆଉ କେହି ହୋଇପାରିବେ ନାହିଁ । ବିରାଟଙ୍କ ନେତୃତ୍ୱରେ ଯେତେବେଳେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା ସେତେବେଳେ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଏପରିକି ପ୍ରଦର୍ଶନ ନେଇ ଟିମରେ ତାଙ୍କର ସ୍ଥାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । କିନ୍ତୁ ହାର ମାନିନଥିଲେ କୋହଲି । ନୂଆ ଅଧିନାୟକଙ୍କୁ ନିଜର ପୂରା ସମର୍ଥନ ଜଣାଇଥିଲେ ଏବଂ ଟିମର ଆବଶ୍ୟକତା ଅନୁସାରେ ବ୍ୟାଟିଂ ଅର୍ଡର ବଦଳାଇବାକୁ ମଧ୍ୟ ପ୍ରସ୍ତୁତ ଥିଲେ । ଯାହାର ପରିଣାମ ୨୦୨୨ ଟି-୨୦ ବିଶ୍ୱକପରେ ଦେଖିବାକୁ ମିଳିଛି । ଚଳିତ ଟି-୨୦ ବିଶ୍ୱକପରେ କୋହଲି ୪ ଅର୍ଦ୍ଧଶତକ ସହ ୨୯୬ ରନ୍ କରିବାରେ ସକ୍ଷମ ହୋଇଥିଲେ । ଏପରିକି ବିଶ୍ୱକପରେ ସର୍ବାଧିକ ସ୍କୋରର ଭାବେ ଉଭା ହୋଇଥିଲେ । ଖାସକରି ପାକିସ୍ତାନ ବିପକ୍ଷରେ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ କ୍ରିକେଟପ୍ରେମୀଙ୍କ ମନରେ ସ୍ମରଣୀୟ ହୋଇ ରହିଥିଲା । ଏହାପୂର୍ବରୁ ମଧ୍ୟ ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦ୍ ଓ ୱାସିମ ଆକ୍ରମ ମଧ୍ୟ ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରିବାକୁ ବାବରଙ୍କୁ ପରାମର୍ଶ ଦେଇଥିଲେ । ବାବରଙ୍କ ବଦଳରେ ରିଜୱାନଙ୍କ ସହ ମହମ୍ମଦ ହାରିସ ବ୍ୟାଟିଂ କରନ୍ତୁ ବୋଲି ଦାବି ଉଠିଥିଲା ।