ଆବାସ ଯୋଜନା, ଶାସକ-ବିରୋଧୀ ମୁହାଁମୁହିଁ : ଅଯୋଗ୍ୟ ଲିଷ୍ଟ ଥିବା ଅଭିଯୋଗ କରି, ସବୁ ବ୍ଲକ ଆନ୍ଦୋଳନ କରିବାକୁ ବିଜେପିର ଚେତାବନୀ , ଜବାବ ରଖିଲା ବିଜେଡି

151

କନକ ବ୍ୟୁରୋ : ବିଜେଡି ଓ ବିଜେପି ପୁଣିଥରେ ମୁହାଁମୁହଁ ହୋଇଛନ୍ତି । ସମ୍ଭାବ୍ୟ ଯୋଗ୍ୟ ହିତାଧିକାରୀଙ୍କ ନା ତାଲିକାରେ ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ଆସନ୍ତା ୨୫ରୁ ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ଆନ୍ଦୋଳନ କରିବ ବୋଲି କହିଛି । ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଯୋଗ୍ୟ ଲୋକ ଘର ପାଇବେ । ବିରୋଧୀ ଯାହା କରୁଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ଆସନ୍ତାକାଲି ଆବାସ ତାଲିକା ଅଭିଯୋଗର ଶେଷ ତାରିଖ । ନିକଟରେ ପ୍ରକାଶ ପାଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା । ପଞ୍ଚାୟତ ଅଫିସରେ ଏବେ ଏହି ତାଲିକା ଝୁଲୁଛି । ଜାନୁଆରୀ ୧୬ରୁ ୨୪ ପର୍ଯ୍ୟନ୍ତ ଅଭିଯୋଗର ଅବଧି ରହିଛି । ଲୋକମାନ ଅଭିଯୋଗ ବାକ୍ସରେ ଏ ନେଇ ନିଜ ଅଭିଯୋଗ କରୁଛନ୍ତି । ବହୁ ଅଯୋଗ୍ୟ ବ୍ୟକ୍ତିଙ୍କ ନାଁ ସମ୍ଭାବ୍ୟ ତାଲିକାରେ ରହିଛି । ତେଣୁ ଏହାକୁ ନେଇ ବିଭିନ୍ନ ଅଂଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।