ଓପିଏସସିକୁ ହାଇକୋର୍ଟ ଝଟକା: ଏଏସଓ ମେରିଟ ଲିଷ୍ଟ ଖାରଜ

361

କନକ ବ୍ୟୁରୋ: ଏଏସଓ ନିଯୁକ୍ତି ଅନିୟମିତତା ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହ ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରି ଦେଇଛନ୍ତି । ରିଟ୍ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ । ନିୟମ ଅନୁସାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇନାହିଁ । ଏଣୁ ନିୟମ ଅନୁଯାୟୀ ଲିଖିତ ପରୀକ୍ଷା ଆଧାରରେ ୨ମାସ ମଧ୍ୟରେ ମେରିଟ୍ ଲିଷ୍ଟ ପ୍ରକାଶ କରନ୍ତୁ ଓପିଏସସି । ଏଥିସହ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ ବୈଧ ବୋଲି ଦର୍ଶାଇଛନ୍ତି କୋର୍ଟ । କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଏଏସ୍ଓ ଆଶାୟୀ ।

ଗତବର୍ଷ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବି ଲାଗି ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା । । ଲକ୍ଷାଧିକ ଚାକିରି ଆଶାୟୀ ଏହି ପରୀକ୍ଷା ଦେଇଥିଲେ । ହେଲେ ଯେତେବେଳେ ମେରିଟ୍ ଲିଷ୍ଟ ବାହାରିଲା, ସେତେବେଳେ ଏଥିରେ ଅନିୟମିତତା ଅଭିଯୋଗ ଆଣିଥିଲେ ଏଏସ୍ଓ ଆଶାୟୀ । ଓଡିଶା ପବ୍ଲିକ ସର୍ଭିସ୍ କମିଶନ୍ ବା ଓପିଏସ୍ସି ସଠିକ ଭାବେ ମେଧା ତାଲିକା ପ୍ରକାଶ କରିନଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ କରିଥିଲେ, ନିୟମ ଅନୁସାରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇନାହିଁ । ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଯାହାର ବିଚାର କରି ହାଇକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ଆଉ ଏବେ ରାୟ ପ୍ରକାଶ କରିଛନ୍ତି । ତେବେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ଓପିଏସ୍ସି ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ।

ପ୍ରାର୍ଥୀଙ୍କ ହାରାହାରି ମାର୍କକୁ ନେଇ ମେଧା ତାଲିକା ପ୍ରକାଶ ପାଇବା କଥା । ହେଲେ ଏଥର ସେହି ନିୟମ ଅନୁସାରେ ଏଏସ୍ଓ ମେରିଟ୍ ଲିଷ୍ଟ ପ୍ରକାଶ ପାଇନଥିଲା । ନୂଆ ନିୟମରେ ଲିଖିତ ପରୀକ୍ଷାଫଳ ପ୍ରକାଶ କରାଯାଇଥିଲା । ପ୍ରତ୍ୟେକ ବିଷୟରେ କଟ-ଅଫ୍ ମାର୍କ ରଖାଯାଇଥିବା ଅଭିଯୋଗ ହୋଇଥିଲା ।