ଆସ୍କା ସାଂସଦଙ୍କ ପରଲୋକ ! କିଡ଼ନୀ ରୋଗରେ ପୀଡ଼ିତ ଥିଲେ ଲଡ଼ୁକିଶୋର ସ୍ୱାଇଁ

240

କନକ ବ୍ୟୁରୋ : ଆସ୍କା ସାଂସଦଙ୍କ ପରଲୋକ । ବିଜେଡି ନେତା ତଥା ଆସ୍କା ଲୋକସଭା ସାଂସଦ ଲଡ଼ୁ କିଶୋର ସ୍ବାଇଁଙ୍କ ମଙ୍ଗଳବାର ରାତି ପ୍ରାୟ ୧୧ଟା ୪୫ରେ ଆପୋଲୋ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଲଡ଼ୁ କିଶୋର କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ । ଗତକାଲି ଅସୁସ୍ଥ ହୋଇପଡ଼ିବାରୁ ରାତି ଗୋଟାଏରେ ତାଙ୍କୁ ଆପୋଲୋ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତିରେ ତାଙ୍କର ପରଲୋକ ହୋଇଯାଇଛି।

ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମଞ୍ଜୁଳା ସ୍ବାଇଁ, ପୁଅ ନଚିକେତା ଓ ଅଶ୍ବିନୀ ଉପସ୍ଥିତ ଥିଲେ। ଆସନ୍ତକାଲି ତାଙ୍କ ମର ଶରୀରକୁ କବିସୂର୍ଯ୍ୟନଗର ପଥୁରା ଗାଁକୁ ନିଆଯାଇ ସେଠାରେ ଶେଷକୃତ ସମ୍ପନ୍ନ କରାଯିବା ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ବୁଧବାର ସେ ସଂସଦ ଅଧିବେଶନରେ ଯୋଗ ଦେଇଥାନ୍ତେ । ଏଥିପାଇଁ ବିମାନ ଟିକେଟ୍ ମଧ୍ୟ କଟା ସରିଥିଲା ।୧୯୪୭ ଜୁଲାଇ ୮ ତାରିଖରେ ଗଂଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଲଡ଼ୁ କିଶୋର ସ୍ବାଇଁ ୨୦୧୪ରେ ଆସ୍କା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ୨୦୦୪ରେ ସେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି ।