ଖସି ପଡିଲା ‘ଜହ୍ନମାମୁ’ ! ଦୁର୍ଘଟଣାରେ ୬ମୃତ, ୬୦ରୁ ଅଧିକ ଆହତ

28

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପ୍ରାୟ ଦୁଇ ମାସ ତଳେ ମାଣିତ୍ରୀ ବସ ଦୁର୍ଘଟଣାର ଲୁହ ଶୁଖିନଥିବା ବେଳେ ଆଜି ସେହି ଅନୁଗୁଳରେ ପୋଲ ତଳକୁ ଖସିଲା ଜହ୍ନମାମୁ ନାମକ ଯାତ୍ରୀବାହୀ ବସ୍ । ୫୫ ନମ୍ବର ଜାତୀୟ ରାଜପଥର ତୁକୁଡା ନିକଟରେ ଏହି ବସଟିି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କଟକ ମେଡିକାଲରେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୬୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ଘଟଣାରେ ଏଯାଏଁ ୩୪ ଜଣ ଆହତଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ହିତେଶ ସାହୁ ଓ ପ୍ରଭାତି ପ୍ରଧାନ । ଆହତଙ୍କ ପାଇଁ ଟ୍ରମା ବିଭାଗକୁ ପ୍ରସ୍ତୁତ କରି ରଖାଯାଇଛି । ଏହା ସହ ଆଇସିୟୁରେ ୮ଟି ବେଡ ସହ ମୋଟ ୪୦ଟି ବେଡ ପ୍ରସ୍ତୁତ କରି ରଖାଯାଇଛି । ଅନ୍ୟପଟେ ରୋଗୀ ସଂଖ୍ୟା ବଢିଲେ ବେଡ ସଂଖ୍ୟା ବୃଦ୍ଧି କରାଯିବ ବୋଲି କଟକ ବଡଡାକ୍ତରଖାନା ପକ୍ଷରୁ ସୂଚନା ଦେଇଛି ।