ଉତ୍ତେଜନା ଭିତରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ବଲପୁରରେ କର୍ଫ୍ୟୁ: ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ, ସହରରେ ପୁଲିସ ଛାଉଣୀ

176

କନକ ବ୍ୟୁରୋ: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ସମ୍ବଲପୁରରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡକୁ ନେଇ ଭିତରେ ଭିତରେ ଲାଗି ରହିଛି ଚାପା ଉତେଜନା । ଗତକାଲି ରାତିରେ ଗୋଟିଏ ପଟେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବାବେଳେ, ଅନ୍ୟପଟେ ଉତେଜନା ପ୍ରକାଶ ପାଇବା ପରେ, ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି । ଆଉ ପୂରା ସହରରେ କର୍ଫ୍ୟୁ ଲଗାଇଛି । ଗତରାତିରୁ ଲାଗୁ କରିଥିବା କଟକଣା ପରବର୍ତି ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବଳବତର ରହିବ ବୋଲି ସମ୍ବଲପୁର ଜିଲ୍ଳା ପ୍ରଶାସନ ଘୋଷଣା କରିଛନ୍ତି । ଏବଂ କର୍ଫ୍ୟୁ ସମୟରେ ଜନସାଧାରଣଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ତେବେ କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି । ସେପଟେ ସମ୍ବଲପୁର ଯାଇ ସମୀକ୍ଷା ପରେ, ଖୁବ ଶୀଘ୍ର ଶାନ୍ତି ଫେରିବ ବୋଲି ଆଶା ରଖିଛନ୍ତି ପୋଲିସ ଡିଜି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଆରମ୍ଭ ହୋଇଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ପୁରା ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ ଲାଗିଛି ଏହି କଟକଣା । ରାତି ୧୨ଟାରୁ ପରବର୍ତି ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କଟକଣା ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । କର୍ଫ୍ୟୁ ସମୟରେ ସାଧାରଣ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଯେଉଁମାନେ ଘରୁ ବାହାରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।
ସମ୍ବଲପୁର ସହରର ୬ଟି ଥାନା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି । ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଂଚଳରେ କର୍ଫ୍ୟୁ କଟକଣା ଜାରି କରାଯାଇଛି । ସ୍ଥିତିରେ ସୁଧାର ନ ଆସିବା ଯାଏଁ କର୍ଫ୍ୟୁ ଜାରି ରହିବ । ତେବେ ସହରରେ ସ୍ଥିତି ନିୟନ୍ତ୍ରଣରେ ଥିବା କହିବା ସହ, କେମିତି ଶାନ୍ତି ଫେରିବ ସେଥିପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ଜିଲ୍ଲାପାଳ ଅପିଲ କରି କହିଛନ୍ତି, କୌଣସି ପ୍ରକାର ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । କୌଣସି ଗୁଜବ ସୃଷ୍ଟି କରନ୍ତୁ ନାହିଁ । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଜାରି ରହିଛି ଉଦ୍ୟମ ।

ଯେମିତି ଆଉ କୌଣସି ଅସ୍ୱାଭାବିକ ପରିସ୍ଥିତି ନଉପୁଜେ ସେଥିପାଇଁ ସମ୍ବଳପୁର ସୀମାକୁ ସିଲ କରିଛି ପ୍ରଶାସନ । ବିଶେଷକରି କୌଣସି ଅସାମାଜିକ ତତ୍ୱ ଯେମିତି ପ୍ରବେଶ କରି ନପାରିବେ ତା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଏଥିସହ ଇଂଟରନେଟ୍ ସେବାକୁ ଆଗାମି ୧୭ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏବଂ ୪୩ପ୍ଲାଟୁନରୁ ଅଧିକ ସୁରକ୍ଷା ବଳ ମୂତୟନ ହୋଇଛନ୍ତି ।

କର୍ଫ୍ୟୁ ଭିତରେ ସମ୍ବଲପୁର ଗସ୍ତ କରିଛନ୍ତି ପୋଲିସ ଡିଜି । ସେଠାରେ ସ୍ଥିତିର ସମୀକ୍ଷା କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଉ ସମୀକ୍ଷା ପରେ, କହିଛନ୍ତି, ଶାନ୍ତି ଶୃଂଖଳା ବଜାୟ ରଖିବାକୁ ଚେଷ୍ଟା କରାଯାଉଛି । ସ୍ଥିତି ଭଲ ଆଡକୁ ଗତି କରୁଛି । ଦିନେ ଦୁଇ ଦିନ ଭିତରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି । ହେଲେ, କଫ୍ରୁ୍ର୍ୟ ବଳବତ୍ତର ରହିବ । ଇଂଟରନେଟ୍ ବନ୍ଦ ରହିବ । ଗଣ୍ଡଗୋଳକାରୀଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି । କର୍ଫ୍ୟୁ ସମୟରେ ସହଯୋଗ ପାଇଁ ଲୋକଙ୍କୁ ଅପିଲ କରିଛନ୍ତି । ତେବେ କାଲିର ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଡିଜି । ପରୀକ୍ଷା ପାଇଁ କଟକଣା କୋହଳ ହୋଇପାରେ ।

ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ସମୟରେ, ଦିନକୁ ଦୁଇଥର କଟକଣା କୋହଳ ହେବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରଶାସନର ନିଷ୍ପତି ଅନୁସାରେ, ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ । କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁ କିଛି ବନ୍ଦ ରହିବ । ସେହିପରି ଟ୍ରେନ ଯାତ୍ରୀ ଓ ବିମାନ ଯାତ୍ରୀ, ଟିକେଟ ଦେଖାଇ ଯାଇପାରିବେ । ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନଂବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୫୫୮୦୦୭୬୦ । ତେବେ କଟକଣା କୋହଳ ସମୟ ବ୍ୟତିତ ସାଧାରଣ ଲୋକ ଅନ୍ୟ ସମୟରେ ପଦାକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଛି ।