କଂଗ୍ରେସ ସରକାର ସମୟରେ ‘ମୋଦୀଙ୍କୁ ଫସାଇବାକୁ ମୋ ଉପରେ ଚାପ ପକାଇଥିଲା ସିବିଆଇ’ । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଲେ ଅମିତ ଶାହା

284

କନକ ବ୍ୟୁରୋ: ‘କଂଗ୍ରେସ ସରକାରଙ୍କ ସମୟରେ ଏକ ମିଛ ଦଙ୍ଗା ମାମଲାରେ ମୋଦୀଜୀଙ୍କୁ ଫସାଇବାକୁ ମୋ ଉପରେ ଚାପ ପକାଇଥିଲା ସିବିଆଇ’ । ରାଇଜିଙ୍ଗ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଏପରି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋଦୀ ସରକାର ଦେଶକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବାକୁ ୨୦୧୪ରୁ ଲଢେଇ ଆରମ୍ଭ କରିଛି । ହେଲେ ରାହୁଲ ଗାନ୍ଧୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ କ’ଣ କହିବାକୁ ଚାହୁଁଛନ୍ତି ଯେ ଭ୍ରଷ୍ଟାଚାର କରୁଥିବା ବ୍ୟକ୍ତି ଉପରେ କୌଣସି ମକଦ୍ଦମା ନହେଉ’?

‘ମୋଦୀ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଏକ ମିଛ ଦଙ୍ଗା ଘଟଣାରେ ଫଶାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା । କେବଳ ସେତିକି ନୁହେଁ ମୋ ବିରୋଧରେ ବି ସିବିଆଇ ମାମଲା ଦାଏର କରିଥିଲା । ହେଲେ କୋର୍ଟ ମୋତେ ୯୦ ଦିନରେ ଜାମିନ ଦେଇଥିଲେ । କେବଳ ରାଜନୈତିକ ଆକ୍ରୋଶରେ ଅମିତ ଶାହାଙ୍କ ଉପରେ ମାମଲା ଦାଏର କରାଯାଇଛି । ହେଲେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତେଣୁ ଏହି ମାମଲାକୁ ଖାରଜ କରାଯାଉଛି ବୋଲି କହିଥିଲେ ସୁପ୍ରିମକୋର୍ଟ । କାହିଁ ସେତେବେଳେ ତ ଏସବୁ ଘଟଣାକୁ ନେଇ ବିଜେପି ନେତା କଳା ସାର୍ଟ ପିନ୍ଧି ଗୃହକୁ ଜାମ୍ କରିନଥିଲେ । ହେଲେ କଂଗ୍ରେସ ନେତା ରାହୁଲଙ୍କ ପାଇଁ ଯେଭଳି କଳା ସାର୍ଟ ପିନ୍ଧି ମୁହଁରେ ତାଲା ଚାପି ପକାଇ ବିରୋଧ କରୁଛନତି ତାହା କେବେବି ଗ୍ରହଣୀୟ ନୁହେଁ’ ବୋଲି କହିଛନ୍ତି ଅମିତ ଶାହା ।