ଜନସନ ଆଣ୍ଡ ଜନସନ ଟିକାକୁ ଆମେରିକାରେ ବ୍ୟାନ, ଜାଣନ୍ତୁ କଣ ରହିଛି କାରଣ

90

କନକ ବ୍ୟୁରୋ : ବିଶ୍ୱର ଅଗ୍ରଣୀ ଔଷଧ ନିର୍ମାତା ଜନସନ ଆଣ୍ଡ ଜନସନର କରୋନା ନିରୋଧୀ ଟିକା ନିଜ ଦେଶରେ ବ୍ୟବହାର କରିବା ଉପରେ ରୋକ୍ ଲଗାଇଛି ଆମେରିକା । ଏହି ଟିକା ନେବା ପରେ ଲୋକମାନଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ କରି ଆମେରିକା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) କହିଛି କି, ଏବେ ଜନସନ ଆଣ୍ଡ ଜନସନର କରୋନା ନିରୋଧୀ ଟିକା କେବଳ ସେହିମାନଙ୍କୁ ଦିଆଯିବ ଯେଉଁ ବୟସ୍କ ବ୍ୟକ୍ତିମାନେ ଏହି ଟିକା ନେବାକୁ ଅନୁରୋଧ କରିବେ ।

ସେପଟେ କିଛିମାସ ହେବ ଆମେରିକାର ଅଧିକାରୀମାନେ ସେମାନଙ୍କ ନାଗରିକଙ୍କୁ ଅନୁରୋଧ କରିଆସୁଛନ୍ତି କି ଜନସନ ଆଣ୍ଡ ଜନସନ ଟିକା ବଦଳରେ ଫାଇଜର କିମ୍ବା ମଡର୍ଣ୍ଣା କମ୍ପାନୀର କୋଭିଡ ନିରୋଧୀ ଟିକା ନିଅନ୍ତୁ । ଅନ୍ୟପଟେ ଏଫଡିଏର ଟିକା ସହ ଜଡିତ ମାମଲାର ପ୍ରମୁଖ ଡାକ୍ତର ପିଟର ମାର୍କସ କହିଛନ୍ତି କି ଜନସନ ଆଣ୍ଡ ଜନସନ ଟିକା ନେଇଥିବା ଲୋକଙ୍କ ଠାରେ ପରୀକ୍ଷା କରିବା ପରେ ଏହା ପ୍ରମାଣ ହୋଇଛି କି ଏହି ଟିକା ନେଇଥିବା ଲୋକଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧୁଛି । ଏହି କାରଣରୁ ଏବେ ଏହି ଟିକାକୁ ନନେବା ପାଇଁ ଦେଶର ଲୋକଙ୍କୁ ଅନୁରୋଧ କରାଯାଇଛି ।

କହିରଖୁ କି ୨୦୨୧ ମଇ ୧୮ ତାରିଖରେ ଏଫଡିଏ ଆମେରିକାରେ ଜନସନ ଆଣ୍ଡ ଜନସନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାର କାରଣ ଥିଲା କରୋନାରୁ ରକ୍ଷା ପାଇବା ପାଇଁ ଅନ୍ୟ କମ୍ପାନୀ ମାନେ ୨ ଟି ଡୋଜର ଟିକା ପ୍ରସ୍ତୁତ କରିଥିବା ବେଳେ ଜନସନ ଆଣ୍ଡ ଜନସନର କରୋନା ନିରୋଧୀ ଟିକା ଗୋଟିଏ ଡୋଜ ନେବାକୁ ପଡିଥାଏ ।