୬୦୦ ଶାଖା ବନ୍ଦ କରିବ ସେଣ୍ଟ୍ରାଲ ବ୍ୟାଙ୍କ! କାହିଁକି ନିଆଗଲା ଏଭଳି ନିଷ୍ପତ୍ତି?

399

କନକ ବ୍ୟୁରୋ: ରାଷ୍ଟ୍ରାୟତ୍ତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶରେ ପାଖାପାଖି ୬୦୦ ଶାଖାକୁ ବନ୍ଦ କରିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇପାରେ । କ୍ଷତି ସହୁଥିବା ଶାଖା ଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇପାରେ କିମ୍ବା ଅନ୍ୟ ଶାଖା ସହିତ ମିଶାଇ ଦିଆଯାଇପାରେ ।

୨୦୨୩ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ସେଣ୍ଟ୍ରାଲ ବ୍ୟାଙ୍କ ଗତ କିଛି ବର୍ଷ ହେଲା ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଛି । ତେଣୁ ସ୍ଥିତିରେ ଉନ୍ନତି ଆଣିବା ଲାଗି ଏଭଳି କଠୋର ପଦକ୍ଷେପ ନେଇପାରେ । ଏହାସହିତ ବ୍ୟାଙ୍କ ଏହାର ଅଣପ୍ରମୁଖ ସମ୍ପତ୍ତି ଆଦିକୁ ମଧ୍ୟ ବିକ୍ରି କରିପାରେ । ୧୦୦ ବର୍ଷରୁ ଅଧିକ ପୁରୁଣା ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୋଟ ଶାଖା ସଂଖ୍ୟା ଏବେ ୪୫୯୪ ରହିଛି । ୨୦୧୭ ରେ ଅନ୍ୟ କେତେକ ବ୍ୟାଙ୍କ ସହିତ ଉକ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ପିସିଏ ବା (ପ୍ରମ୍ପଟ୍ କରେକ୍ଟିଭ୍ ଆକ୍ସନ ଅଧିନରେ ରଖିଥିଲା । ସେବେଠାରୁ ସେଣ୍ଟ୍ରାଲ ବ୍ୟାଙ୍କକୁ ବାଦଦେଲେ ଅନ୍ୟ ସବୁ ବ୍ୟାଙ୍କ ପିସିଏ କଟକଣାରୁ ମୁକୁଳି ଆସିଛନ୍ତି । କିନ୍ତୁ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିନାହିଁ ।
ଏହା ହିଁ ଶାଖା ବନ୍ଦ ପଛର କାରଣ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ,ପିସିଏ କଟକଣା ଲାଗିଥିବା ବ୍ୟାଙ୍କ ଗୁଡିକ ପାଇଁ ଜମା ସଂଗ୍ରହ, ଋଣ ପ୍ରଦାନ, ଶାଖା ସମ୍ପ୍ରସାରଣ, ନୂଆ ନିଯୁକ୍ତି ସମେତ ଅନ୍ୟାନ୍ୟ ପ୍ରତିବନ୍ଧକ ରିଜର୍ଭ ବ୍ୟାଙ୍କ ଲଗାଇଥାଏ । ଗତ ଡିସେମ୍ବର ତ୍ରୟମାସରେ ସେଣ୍ଟଆଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲାଭ ୨୮୨ କୋଟି ଟଙ୍କା ରହିଛି । ସେହିଭଳି ମୋଟ ଏନପିଏ ୧୫.୧୬ ପ୍ରତଶତରେ ରହିଛି । ୨୦୧୭ ଜୁନରେ ପିସିଏ କଟକଣା ଲଗାଯିବା ସମୟରେ ସେଣ୍ଟ୍ରାଲ ବ୍ୟାଙ୍କର କ୍ଷତି ୭୫୦ କୋଟି ଏବଂ ମୋଟ ଏନପିଏ ୧୭.୨୭ ପ୍ରତିଶତ ରହିଥିଲା ।