ପୁଣି ବିବାଦରେ ଭଣ୍ଡାରୀପୋଖରୀ ବିଧାୟକଙ୍କ ପୁଅ । କଲେଜ ସୋସାଇଟିରୁ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ, କର୍ମଚାରୀ ପାଇନାହାନ୍ତି ଦରମା, ବିଧାୟକଙ୍କ ପୁଅ କିଣୁଛନ୍ତି ଦାମୀ କାର ।

255

କନକ ବ୍ୟୁରୋ : ବରପଦା ଇଂଜିନିୟରିଂ କଲେଜକୁ ନେଇ ପୁଣି ବିବାଦକୁ ଆସିଛନ୍ତି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ପୁଅ ପ୍ରୟାସକାନ୍ତି ସାମଲ । ବିଆଇଇଟି କଲେଜ ସୋସାଇଟିରୁ କୋଟିକୋଟି ଟଙ୍କା ଲୁଟି ବିଧାୟକଙ୍କ ପୁଅ ଅୟସ କରୁଥିବା ଅଭିଯୋଗ ହୋଇଛି । ଏକାଧିକ ଦାମୀ ଗାଡି ସାଙ୍ଗକୁ ଭୁବନେଶ୍ୱରରେ ଜମି ଓ କୋଠା କିଣୁଥିବା ଅଭିଯୋଗ ଉଠିଛି । ବଡକଥା ହେଉଛି କଲେଜର କର୍ମଚାରୀଙ୍କୁ ବର୍ଷବର୍ଷ ଧରି ଦରମା ଦିଆଯାଉ ନାହିଁ । ହେଲେ ସେହି ଟଙ୍କାରେ ଦାମୀ ଗାଡି କିଣିଛନ୍ତି ପ୍ରୟାସକାନ୍ତି ସାମଲ ।

କଲେଜର ମ୍ୟାନେଜିଂ କମିଟି ଅଧ୍ୟକ୍ଷ ଅଛନ୍ତି ବିଜେଡି ନେତା ପ୍ରୟାସକାନ୍ତି ସାମଲ । ୨୦୦୯ ପରଠାର ପ୍ରୟାସକାନ୍ତିଙ୍କ ନାଁରେ କିଣାଯାଇଛି ଏକାଧିକ ଦାମୀ କାର । ୧୪ରୁ ଅଧିକ କାର ରହିଛି ବିଜେଡି ସାଧାରଣ ସଂପାଦକ ପ୍ରୟାସକାନ୍ତି ସାମଲଙ୍କ ନାଁରେ । ଯାହା ଭିତରେ ଅଛି ୩ଟି ପ୍ରି-ଲାଣ୍ଡର, ପାଜେରୋ ଏବଂ ସଫାରି ଭଳି ନାମୀଦାମୀ ଗାଡି । ଅଭିଯୋଗ ହେଉଛି କଲେଜ ଟଙ୍କାରେ ଏସବୁ କାର କିଣିଛନ୍ତି ପ୍ରୟାସକାନ୍ତି । ତାଙ୍କ ଭାଇ ପ୍ରୟାଗକାନ୍ତିଙ୍କ ନାଁରେ ମଧ୍ୟ କଲେଜ ଫଣ୍ଡରୁ କିଣାଯାଇଛି ଦାମୀ ଗାଡି । ହେଲେ ଆଶ୍ଚର୍ଯ୍ୟର କଥା ହେଉଛି କଲେଜ କର୍ମଚାରୀଙ୍କୁ କିନ୍ତୁ ମିଳିନାହିଁ ୧୭ ମାସର ଦରମା ।

ପୂର୍ବରୁ କଲେଜ ପରିଚାଳନା ଦାୟିତ୍ୱରେ ଥିଲେ ଭଦ୍ରକ ଜିଲ୍ଲାପାଳ । ସେତେବେଳେ କର୍ମଚାରୀଙ୍କୁ ଠିକଠାକ ଦରମା ମିଳୁଥିଲା । ହେଲେ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରୟାସକାନ୍ତି ସାମଲ ପରିଚାଳନା ଦାୟିତ୍ୱରେ ସାମିଲ ହେଲେ । କର୍ମଚାରୀଙ୍କୁ ମାସକୁ ମାସ ଦରମା ଦେବାପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛନ୍ତି ପ୍ରୟାସକାନ୍ତି । କଲେଜର ଆୟ କମିଯାଇଥିବାରୁ କର୍ମଚାରୀଙ୍କୁ ଦରମା ଦିଆଯାଇ ପାରୁନଥିବା କହୁଛନ୍ତି ପ୍ରିନ୍ସିପାଲ । ହେଲେ କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ନଥିବାବେଳେ କଲେଜ ଟଙ୍କାରେ କେମିତି ଦାମୀ ଗାଡି କିଣିଲେ ପ୍ରୟାସକାନ୍ତି, ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ।

ଏପଟେ ଦରମା ପ୍ରଦାନ ସହ ୯ ଦଫା ଦାବିରେ କଲେଜ ଆଗରେ ଧାରଣାରେ ବସି ରହିଛନ୍ତି କର୍ମଚାରୀ । କର୍ମଚାରୀଙ୍କ ଅଭିଯୋଗ ହେଲା ଦୀର୍ଘ ୧୭ ମାସ ହେଲା ସେମାନଙ୍କୁ ଦରମା ଦିଆଯାଇ ନାହିଁ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ସେମାନଙ୍କ ପ୍ରାପ୍ୟ ମିଳିନାହିଁ । ତେଣୁ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ବିଆଇଇଟି ସୋସାଇଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏମାନେ ଦାବି କରୁଛନ୍ତି ।
ଧାରଣାରେ ବସିଥିବା କର୍ମଚାରୀଙ୍କୁ ଆସି ବୁଝାସୁଝା କରିଥିଲେ ଉପଜିଲ୍ଲାପାଳ ଏବଂ ଗ୍ରାମାଂଚଳ ଥାନା ଆଇଆଇସି । ସେମାନଙ୍କ ସମସ୍ୟା ସଂପର୍କରେ ବୁଝିବାକୁ ପ୍ରତିଶ୍ରୁତି ବି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।