କାହିଁକି ହାତ ଛାଡିଲେ ହାର୍ଦ୍ଦିକ? ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡିବାର କାରଣ ପଢନ୍ତୁ …

226

କନକ ବ୍ୟୁରୋ: ଗୁଜରାଟରେ କଂଗ୍ରେସକୁ ଝଟକା ଦେଇଛନ୍ତି ହାର୍ଦ୍ଦିକ ପଟେଲ । ସେ ଦଳରୁ ଇସ୍ତଫା ଦେବା ପଛରେ ଅନେକ କାରଣ ରହିଛି । ତେବେ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ବଡ ଝଟକା । ଅନେକ ସମୟ ଧରି ସେ ନିଜର ଅସନ୍ତୋଷ ଜାହିର କରିଆସୁଥିଲେ । କଂଗ୍ରେସର ଉଦୟପୁର ଚିନ୍ତନ ଶିବିରରେ ସେ ସାମିଲ ହୋଇନଥିଲେ । ଏନେଇ ଯେତେବେଳେ ତାଙ୍କୁ ପଚରା ଯାଇଥିଲା ସେ କହିଥିଲେ ତାଙ୍କୁ କାର୍ଯ୍ୟକ୍ରମ ପାଇଁ ଡକାଯାଇନାହିଁ । ତେବେ ଦଳ ଛାଡିବା ପଛରେ ଏହି ସବୁକାରଣ ଥିବା କୁହାଯାଉଛି ।

କଂଗ୍ରେସରେ ହାର୍ଦ୍ଦିକଙ୍କୁ ଅଣଦେଖା!
ହାର୍ଦ୍ଦିକ ପଟେଲଙ୍କୁ ରାହୁଲ ଗାନ୍ଧୀ କଂଗ୍ରେସକୁ ଆଣିଥିଲେ । ୨୦୧୯ରେ ସେ ଦଳରେ ସାମିଲ ହୋଇଥିଲେ । ମାତ୍ର ଗୋଟିଏ ବର୍ଷରେ ତାଙ୍କୁ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇଥିଲା । ତେବେ ଦଳରେ ଥିବା ପୁରୁଣା ନେତା ତାଙ୍କୁ ଦଳରେ ଗ୍ରହଣ କରିପାରୁନଥିଲେ । ଅନେକ ସମୟ ବିତିଥିଲେ ବି ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ କରାଯାଇନଥିଲା । ବାରମ୍ବାର ସେ ଦଳରେ ଅବହେଳାର କଥା ଉଠାଇଆସୁଥିଲେ । ତାଙ୍କର ମୁଖ୍ୟ ଅଭିଯୋଗଥିଲା ଯେ ଦଳରେ ୩ ବର୍ଷ ରହିବା ପରେ ମଧ୍ୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ତାଙ୍କୁ ସାମିଲ କରାଯାଉନଥିଲା । ମାର୍ତ୍ତମାସରେ ରାଜ୍ୟରେ ୭୫ ମହାସଚିବ, ୨୫ ଉପାଧ୍ୟକ୍ଷ ନିଯୁକ୍ତି ହୋଇଥିଲେ ବି ତାଙ୍କ ସହିତ ଆଲୋଚନା କରାଯାଇନଥିଲା । ଗତ ବର୍ଷ ସ୍ଥାନୀୟ ନିର୍ବାଚନ ବେଳେ ଟିକେଟ ପ୍ରଦାନକୁ ନେଇ ଅଣଦେଖାର ବି ସେ ଅଭିଯୋଗ କରିଥିଲେ ।
ନରେଶ ପଟେଲଙ୍କ ପ୍ରତି ଦଳର ଅନୁକମ୍ପା ପସନ୍ଦ ନଥିଲା
ହାର୍ଦ୍ଦିକ କଂଗ୍ରେସ ଦଳରେ ପଟେଲ ସମୁଦାୟର ସବୁଠାରୁ ବଡ ଚେହେରା ଥିଲେ । ତେବେ ପଟେଲ ସମ୍ପ୍ରଦାୟର ସବୁଠାରୁ ବଡ ବ୍ୟକ୍ତିତ୍ୱ ନରେଶ ପଟେଲଙ୍କୁ ଦଳରେ ସାମିଲ କରାଯିବା ନେଇ ଖୁସି ନଥିଲେ । ଗୁଜରାଟରେ ପଟିଦାର ସମୁଦାୟ ନିର୍ବାଚନରେ ବଡ ଭୂମିକା ନେଇଥାନ୍ତି । କଂଗ୍ରେସରେ ସବୁଠାରୁ ବଡ ପଟିଦାର ଚେହେରା ଭାବେ ହାର୍ଦ୍ଦିକ ଥିଲେ ତେବେ ନରେଶ ପଟେଲଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରକ୍ରିୟାରେ ଜୋରଦାର ଚାଲିଥିଲା । ସେ ଏହାକୁ ବିରୋଧ କରିଆସୁଥିଲେ । ତେବେ ଏନେଇ ଦଳର ଅନ୍ୟନେତା ମାନେ ସହମତି ପ୍ରକାଶ କରିଥିବାରୁ ସେ ଅସନ୍ତୁଷ୍ଟ ଥିଲେ ।
କଂଗ୍ରେସରେ ସାମିଲ ହେବେ ନରେଶ ପଟେଲ!
ନରେଶ ଲେଉୱା ପଟେଲ ସମ୍ପ୍ରଦାୟର ଥିବା ବେଳେ ହାର୍ଦ୍ଦିକ କଡବା ପଟେଲ ସମ୍ପ୍ରଦାୟର । ପେସାରେ ନରେଶ ଜଣେ ବ୍ୟବସାୟୀ । ଲେଉୱା ପଟେଲଙ୍କ ଭୋଟରସଂଖ୍ୟା ଅଧିକ ରହିଛି । ନରେଶଙ୍କ ସମ୍ପ୍ରଦାୟରେ ଅନେକ ଖାତିର ରହିଛି । କେବଳ ଏତିକି ନୁହେଁ ଖୋଡଳ ଧାମ ଟଷ୍ଟ୍ର ଅଧ୍ୟକ୍ଷ ଅଛନ୍ତି ନରେଶ । ନରେଶ ଅନେକ ସାମିଜିକ କାମରେ ସାମିଲ ହେଉଥିବାରୁ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି । ହାର୍ଦ୍ଦିକଙ୍କୁ ଲାଗୁଥିଲା ନରେଶଙ୍କର ଦଳରେ ଏଣ୍ଟ୍ରି ପରେ ତାଙ୍କର ଦଳରେ କ୍ଷମତା ହ୍ରାସ ପାଇବ । ନରେଶ ପକ୍ଷରେ ରାଜନୈତିକ ରଣକାର ପ୍ରଶାନ୍ତ କିଶୋର ମଧ୍ୟ ଓକିଲାତି କରୁଥିବାରୁ ତାଙ୍କର ଦଳରେ ସାମିଲ ହେବା ନିଶ୍ଚିତ ହୋଇସାରିଛି । ଅନପୌଚାରିକ ଭାବେ ରାହୁଲ ଗାନ୍ଧୀ ଦଳରେ ତାଙ୍କର ସାମିଲ ହେବାକୁ ସବୁଜ ପତାକା ଦେଖାଇ ସାରିଛନ୍ତି । ତେଣୁ ହାର୍ଦ୍ଦିକ ଏଥିରେ ଖୁସି ନଥିଲେ ଯେଉଁଥି ପାଇଁ ସେ ଦଳ ଛାଡିଛନ୍ତି ।
‘ବିଭିନ୍ନ କେସରେ ବିଜେପି ସହଯୋଗ କରିଥିଲା, କଂଗ୍ରେସ ନୁହେଁ’
ହାର୍ଦ୍ଦିକ ନିଜ ବିରୋଧରେ ହୋଇଥିବା ଅନେକ କେସରେ ଦଳର ସହଯୋଗ ମିଳିନଥିବା କହିଛନ୍ତି । ତାଙ୍କ ବିରୋଧରେ ୨୮ଟି ମାମଲା ରୁଜୁ ହୋଇଛି । ଏଥିରେ ୨ଟି ଦେଶଦ୍ରୋହର ମାମଲା ରହିଛି । ଫେବ୍ରୁଆରୀରେ ହାର୍ଦ୍ଦିକ ଘୋଷଣା କରିଥିଲେ ୨୦୧୫ରେ ସଂରକ୍ଷଣକୁ ନେଇ ହୋଇଥିବା ମାମଲାରେ ଯଦି କେସ ଫେରାଇ ନିଆଯିବ ନାହିଁ ତେବେ ମାର୍ଚ୍ଚ ୨୩ରୁ ସେ ଆନ୍ଦୋଳନ କରିବେ । ଏହା ପରେ ଗୁଜରାଟ ସରକାର ପଟିଦାରଙ୍କ ବିଭିନ୍ନ ମାମଲା ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ତେବେ କଂଗ୍ରେସ କିନ୍ତୁ କୌଣସି ପ୍ରକାରର ସହାୟତା କରିନଥିଲା । ସେପଟେ ରାଜ୍ୟ ସରକାରଙ୍କ କୋର୍ଟରେ ରଖାଯାଇଥିବା ତଥ୍ୟ ଯୋଗୁ ଅହମ୍ମଦାବାଦ ସେସନ କୋର୍ଟ ହାର୍ଦ୍ଦିକଙ୍କ ବିରୋଧରେ ସମସ୍ତ ମାମଲା ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଉଦୟପୁର ଚିନ୍ତନ ଶିବିରରେ ଡକାଯାଇନଥିଲା
କଂଗ୍ରେସ ନିକଟରେ ଉଦୟପୁରରେ ଚିନ୍ତନ ଶିବିରର ଆୟୋଜନ କରିଥିଲା । ଏଥିରେ ପ୍ରାୟ ୪ ଶହ ନେତା କର୍ମୀ ସାମିଲ ହୋଇଥିଲେ । ଦେବେ ହାର୍ଦ୍ଦିକ କିନ୍ତୁ ଆସିନଥିଲେ । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଡକାଯାଇନଥିଲା । କାରଣ ସେ ଆମନ୍ତ୍ରିତ ନେତାଙ୍କ କ୍ୟାଟେଗୋରୀରେ ନଥିଲେ । ହାର୍ଦ୍ଦିକ ପଟେଲଙ୍କୁ କହ୍ନେୟା କୁମାରଙ୍କ ଭଳି କମିଟିର ସଦସ୍ୟ ଭାବେ ଚିନ୍ତନ ଶିବିରରେ ସାମିଲ କରାଯାଇଥିଲା । ତେବେ ହାର୍ଦ୍ଦିକଙ୍କ ନିକଟତମ ଲୋକ କହିଛନ୍ତି ତାଙ୍କୁ ନିମନ୍ତ୍ରଣ ମିଳିଥିଲା କିନ୍ତୁ, ସେ ନିଜ ଆଡୁ ଯିବା ପାଇଁ ମନା କରିଥିଲେ ।
ହାର୍ଦ୍ଦିକଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ?
ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହାର୍ଦ୍ଦିକଙ୍କ ପରବର୍ତ୍ତୀ ପଦକ୍ଷେପ କଣ ? ଆଶାକରାଯାଉଛି ଯେ ସେ ବିଜେପିରେ ସାମିଲ ହୋଇପାରନ୍ତି । ଗତ କିଛି ଦିନ ଥରି ବିଜେପିର ନୀତି ଆଡକୁ ସେ ଢଳୁଛନ୍ତି । ମୋଦି ସରକାର ଏବଂ ବିଜେପିର ବିଭିନ୍ନ କାମକୁ ପ୍ରଶଂସା କରିଛନ୍ତି । ଅଯୋଦ୍ଧ୍ୟାରେ ରାମ ମନ୍ଦିର, ଧାରା ୩୭୦ ଉଚ୍ଛେଦ , ଜିଏସଟି ପ୍ରସଙ୍ଗରେ ସେ ସରକାରଙ୍କର ସମର୍ଥନ କରିଥିଲେ । ତେବେ ଶୀଘ୍ର ସେ ଦଳର ସାମିଲ ହୋଇପାରନ୍ତି ।