ସଂକଟରେ ‘ଆକାଶ’ଏୟାରଲାଇନ୍ସ, ଦୈନିକ ବାତିଲ ହେଉଛି ୨୪ଟି ଉଡାଣ

665

କନକ ବ୍ୟୁରୋ : ଆକାଶ ଏୟାର ଲାଇନ୍ସରୁ ୪୩ ଜଣ ପାଇଲଟ ଏକାସାଥିରେ ଇସ୍ତଫା ଦେବା ପରେ ଏବେ ସଂକଟରେ ପଡିଛି । ଏହି କାରଣରୁ ଏୟାରଲାଇନ୍ସ ତାର ଉଡାଣ ବନ୍ଦ କରିପାରେ ବୋଲି ଆଶଂକା କରାଯାଉଛି । ପାଇଲଟଙ୍କ ଅଚାନକ ଇସ୍ତଫା ପରେ ସେପ୍ଟେମ୍ବର ମାସରେ ଦୈନିକ ୨୪ଟି ଉଡାଣ ବାତିଲ କରିବାକୁ ପଡିଛି । ଏନେଇ ଏୟାରଲାଇନ୍ସ ତରଫରୁ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟରେ ସୂଚନା ଦେଇଛନ୍ତି ।

ଏୟାରଲାଇନର ଓକିଲ ବିଚାରପତି ଜଷ୍ଟିସ ମନପ୍ରୀତ ସିଂ ଅରୋଡାକୁ କହିଛନ୍ତି କି, ଇସ୍ତଫା ଦେଇଥିବା ପାଇଲଟମାନେ ନୋଟିସ ଅବଧି ପୂରଣ କରିନଥବାରୁ ଆକାଶ ଏୟାରଲାଇନ ପ୍ରତିଦିନ ଅନେକ ବିମାନ ଉଡାଣ ବାତିଲ କରୁଛି । କହିରଖୁ କି, ପ୍ରଥମ ଅଫିସରଙ୍କ ପାଇଁ ନୋଟିସ ଅବଧି ୬ ମାସ ଓ କ୍ୟାପଟେନଙ୍କ ପାଇଁ ୧ବର୍ଷ ରହିଛି ।

ଚୁକ୍ତିଭିତ୍ତିକ ନୋଟିସ ଅବଧି ପୂରଣ ନକରି ଚାଲିଯାଇଥିବା ପାଇଲଟଙ୍କ ବିରୋଧରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏୟାରଲାଇନ୍ସ ପକ୍ଷରୁ ଦାବି କରାଯାଇଛି । ଏହାସହ ବିମାନ ବାତିଲ ଯୋଗୁଁ ରାଜସ୍ୱ ହାନି ପାଇଁ କମ୍ପାନୀ ୨୨ କୋଟି ଟଙ୍କା ଦାବି କରିଛି ।

ଅନ୍ୟପକ୍ଷରେ ଏକ ଜାତୀୟ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ମୁତାବକ ଆକାଶକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ସବୁଜ ସଂକେତ ଦିଆଯାଇଛି । କିନ୍ତୁ ଯେଉଁ ଦେଶକୁ ଆକାଶ ଏୟାରଲାଇନ୍ସ ବିମାନ ଚଳାଚଳ କରିବାକୁ ଚାହୁଁଛି ସେହି ଦେଶଗୁଡିକର ଅନୁମୋଦନକୁ ଅପେକ୍ଷା କରିଛି । ବର୍ତମାନ ଏୟାରଲାଇନ୍ସ କେବଳ ଘରୋଇ ରୁଟରେ ଚଳାଚଳ କରୁଛି ।