ଫାଟ ପରେ ମୁମ୍ବାଇରେ ପାୱାର ପରିବାରର ସମାନ୍ତରାଳର ପାୱାର ଶୋ । ସମର୍ଥକଙ୍କୁ ନେଇ ଭିନ୍ନ ସ୍ଥାନରେ ବିଶାଳ ସଭା କଲେ ଶରଦ ଓ ଅଜିତ ପାୱାର

146

କନକ ବ୍ୟୁରୋ : କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ଯେଉଁ ଅସ୍ଥିରତା ଚାଲିଛି ବୁଧବାର ସେଥିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଦିନେ କାନ୍ଧରେ କାନ୍ଧ ମିଶାଇ ଏନସିପିର ମଙ୍ଗ ସମ୍ଭାଳିଥିବା ଶରଦ ପାୱାର ଓ ଅଜିତ ପାୱାର ଆଜି ନିଜ ସମର୍ଥନରେ ଥିବା ବିଧାୟକ. ସାଂସଦ, ପାର୍ଷଦ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ବୁଧବାର ଏକାସମୟରେ ଉଭୟ ଦାଦା ପୁତୁରା ବୈଠକ କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ଭୁଜବଲ ନଲେଜ ସିଟିରେ ବିଧାୟକଙ୍କ ବୈଠକ ଡକାଇଥିଲେ ଶରଦ ପୱାର ଓ ନରିମନ ପଏଂଟସ୍ଥିତ ଯଶୱନ୍ତ ଚୌହାନ ପ୍ରତିଷ୍ଠାନରେ ଅଜିତ ପାୱାର ବୈଠକ ଡକାଇଥିଲେ । ଦୁଇଟି ଭିନ୍ନ ସ୍ଥାନରେ ସମର୍ଥକଙ୍କ ଗହଣରେ ସଭା କରିଛନ୍ତି ଶରଦ ଓ ଅଜିତ । ସବୁଠୁ ବଡ କଥା ହେଉଛି ନମ୍ବର ଗେମରେ ଶରଦଙ୍କ ଉପରେ ଭାରି ପଡିଛନ୍ତି ଅଜିତ । କାରଣ ଅଜିତଙ୍କ ବୈଠକରେ ଏନସିପିର ମୋଟ୫୩ ବିଧାୟକଙ୍କ ମଧ୍ୟରୁ ୩୧ ବିଧାୟକ ପହଁଚିଥିଲେ । ସେପଟେ ଶରଦଙ୍କ ବୈଠକରେ ୧୪ଜଣ ବିଧାୟକ, ୩ଜଣ ଏମଏଲସି ଓ ୫ଜଣ ସାଂସଦ ଉପସ୍ଥିତ ଥିଲେ । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଏନସିପିର ଅସ୍ତିତ୍ୱକୁ ତାଙ୍କ ନେତୃତ୍ୱରେ ରଖିବା ପାଇଁ ଶରଦ ପୱାରଙ୍କ ଆଶାକୁ ଏକ ବଡ ଝଟକା ଲାଗିଛି । ଶରଦ ସମର୍ଥକକଙ୍କୁ ସାହସ ଦେଇ କହିଛନ୍ତି ଆମ ପାଖରେ ଦଳୀୟ ଚିହ୍ନ ରହିବ, ଡରିବାର କୌଣସି କାରଣ ନାହିଁ ।

ବୈଠକରେ ଦାଦା ଶରଦଙ୍କ ଉପରେ ଶାଣିତ ଢଙ୍ଗରେ ଟାର୍ଗେଟ କରିଛନ୍ତି ଅଜିତ ପୱାର । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀ, ମୁରଲୀ ମନହୋର ଯୋଶୀ ଓ ପ୍ରଶାସନିକ ଅଧିକାରୀଙ୍କ ଉଦାହରଣ ଦେଇ ଅଜିତ କହିଥିଲେ ରାଜନୀତିରେ ୭୫ବର୍ଷ ବୟସ ହେଉଛି ଅବସର ନେବା ବୟସ । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନହୋର ଯୋଶୀ ସବୁଠୁ ବଡ ଉଦାହରଣ ଅଟନ୍ତି । ଆଗାମୀ ପୀଢିକୁ ବାଟ ଦେଇ ରାଜନୀତିରୁ ଅବସର ନେବା ଉଚିତ । ଆପଣଙ୍କୁ ୮୩ବର୍ଷ ହେଲାଣି । କ’ଣ ଆପଣ ରାଜନୀତିରେ ଯାତ୍ରାରେ ଅଟକିବେନି? ଆପଣ ଆମକୁ ଆଶୀର୍ବାଦ କରନ୍ତୁ ଓ ଆମେ ଆପଣଙ୍କ ଦୀର୍ଘାୟୁ କାମନା କରୁଛୁ । ସେପଟେ ଭାଇ ଅଜିତଙ୍କୁ ଜବାବ ଦେଇ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ଶରଦ ପୱାରଙ୍କ ଝିଅ ସୁପ୍ରିୟା ସୁଲେ କହିଛନ୍ତି ମୋତେ ଅପମାନ କର କିନ୍ତୁ ମୋ ବାପାଙ୍କୁ ନୁହେଁ । ଆମ ଲଢେଇ ଦୁର୍ନୀତିଗ୍ରସ୍ତ ବିଜେପି ବିରୋଧରେ ।

ଏନସିପି ଲଢେଇ ନିର୍ବାଚନ କମିଶନଙ୍କ ନିକଟରେ ପହଁଚିଛି । ଦାଦା-ପୁୁତରା ଲଢେଇ ଭିତରେ ଅଜିତ ପାୱାର ନିଜ ନିକଟରେ ଅଧିକ ସମର୍ଥନ ଥିବା ଦର୍ଶାଇ ଏନସିପିର ଦଳୀୟ ଚିହ୍ନ ଓ ନାଁ ତାଙ୍କ ଟିମକୁ ମିଳୁ ବୋଲି ଦାବି କରିଛନ୍ତି । ସେପଟେ ଶରପ ପୱାରଙ୍କ ଗୋଷ୍ଠୀ ନିର୍ବାଚନ କମିଶନଙ୍କୁ ଅପିଲ କରି କହିଛନ୍ତି କୌଣସି ଫଇସଲା ନେବା ପୂର୍ବରୁ ଉଭୟ ପକ୍ଷର କଥା ଶୁଣାଯାଉ । ସେପଟେ ଅଜିତ ପାୱାର ନିଜକୁ ଏନସିପିର ମୁଖ୍ୟ ଭାବେ ଘୋଷଣା କରି ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ ଆଣିଛନ୍ତି