ବିବାଦ ପରେ ବିଜ୍ଞାପନରୁ ବିଦା ହେଲେ ପ୍ରକୃତି। କମ୍ପାନୀର ହୋର୍ଡିଂ ଓ ପୋଷ୍ଟରରେ ନୂଆ ମଡେଲଙ୍କୁ ସ୍ଥାନ ଦେଲା ଫ୍ରାଞ୍ଚାଇଜ୍।

1,390

କନକ ବ୍ୟୁରୋ: ବିବାଦ ପରେ ବିଜ୍ଞାପନରୁ ବାଦ ପଡିଲେ ପ୍ରକୃତି ମିଶ୍ର । ହୋର୍ଡିଂ ହଟାଇଲା ଅଳଙ୍କାର କମ୍ପାନୀ । ରାସ୍ତା ଉପରେ ଷ୍ଟାରଙ୍କ ଘର କଳି ପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି । ବିବାଦ ପରେ ବିଜ୍ଞାପନରୁ ବିଦା ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ନାମୀଦାମୀ ଅଳଙ୍କାର କମ୍ପାନୀ ତନିସ୍କ ନିଜ ବିଜ୍ଞାପନରୁ ପ୍ରକୃତିଙ୍କୁ ବାଦ ଦେଇଛି । ଏହାସହ ପ୍ରକୃତିଙ୍କ ଫଟୋ ଥାଇ ଲାଗିଥିବା ବିଜ୍ଞାପନର ହୋର୍ଡିଂ ମଧ୍ୟ କାଢ଼ିଦେଇଛି କମ୍ପାନୀ । ପ୍ରକୃତିଙ୍କ ହୋର୍ଡିଂ କଢ଼ାଯିବା ପରେ ସେହଲ ସ୍ଥାନରେ ଲାଗିଛି ଏହି ନୂଆ ହୋର୍ଡିଂ । ଯେଉଁଥିରେ ରହିଛି ଆଉ ଜଣେ ମଡେଲ ଥିବା ତନିସ୍କର ନୂଆ ପୋଷ୍ଟର ।

ରଥଯାତ୍ରା ପୂର୍ବରୁ ଏହି ବିଜ୍ଞାପନରେ ପ୍ରକୃତି ନଜର ଆସିଥିଲେ । ହେଲେ ପ୍ରକୃତିକୁ ନେଇ ବିବାଦ ବଢ଼ୁଥିବା ବେଳେ କମ୍ପାନୀ ଏଭଳି ନିଷ୍ପତି ନେଇଛି । ତେବେ କମ୍ପାନୀ କର୍ତ୍ତୃପକ୍ଷ ଏବାବଦରେ ସୂଚନା ଦେବାକୁ ମନାକରିଦେଇଛନ୍ତି ।

ବାବୁସାନ, ପତ୍ନୀ ତୃପ୍ତି ଓ ପ୍ରକୃ୍ତି ମିଶ୍ରଙ୍କ ବିବାଦ ସେମାନଙ୍କ ପାରିବାରିକ କଳି ହୋଇଥିବାରୁ ଏଥିପାଇଁ ପ୍ରକୃତିଙ୍କୁ ବିଜ୍ଞାପନରୁ ହଟାଇବା କେତେ ଠିକ୍ କେତେ ଭୁଲ ତାକୁ ନେଇ ପ୍ରଶ୍ନ ଉଠିଛି । ଏପରିକି ବ୍ୟକ୍ତିଗତ ଜୀବନକୁ ବୃତ୍ତି ସହ ଯୋଡିବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଛି ।

ହେଲେ, ଯେଉଁ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ଦେଉଛନ୍ତି, ସେହି କମ୍ପାନୀ ଜଣେ ବିବାଦରେ ଥିବା ଅଭିନେତା ବା ଅଭିନେତ୍ରୀଙ୍କୁ ବିଜ୍ଞାପନରେ ରଖିବେ କି ନାହିଁ ଏହା ସେମାନଙ୍କ ଉପରେ ନିର୍ଭର କରେ । କାରଣ ବ୍ୟବସାୟ ବଢ଼ାଇବା ପାଇଁ ଲୋକପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କୁ ବିଜ୍ଞାପନରେ ବ୍ୟବହାର କରିଥାନ୍ତି କମ୍ପାନୀ ।