ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଜ୍ଞାନରେ ୯୪% ଓ ବାଣିଜ୍ୟରେ ୮୯% ପାସ୍। 

136

କନକ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଜଲ୍ଟ ପ୍ରକାଶ ପାଇଛି । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ରେଜଲ୍ଟ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଯୁକ୍ତ ଦୁଇ ବିଜ୍ଞାନରେ ୭୬ ହଜାର ୬୦୪ ଜଣ ପିଲା ପରୀକ୍ଷା ଦେଇଥିଲେ, ସେଥି ମଧ୍ୟରୁ ୭୧ ହଜାର ୧୦୬ ଜଣ ପିଲା ପାସ୍ କରିଛନ୍ତି ।

ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପରେ ପାସ କରିଥିବା ଛାତ୍ରଛାତ୍ରୀ ଖୁସି ମନେଇଛନ୍ତିା ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ଗହଣରେ ମିଠା ବାଣ୍ଟି ସଫଳତାକୁ ସେଲିବ୍ରେଟ୍ କରିଛନ୍ତି । ଚଳିତ ବର୍ଷ ମଧ୍ୟ ଯୁକ୍ତଦୁଇ ବିଜ୍ଞାନରେ ପାସହାରରେ ଛାତ୍ରଙ୍କୁ ଟପିଯାଇଛନ୍ତି ଛାତ୍ରୀ । ବିଜ୍ଞାନରେ ବାଳକଙ୍କ ପାସ ହାର ୯୩.୮୦% ଥିବା ବେଳେ ବାଳିକାଙ୍କ ପାସ ହାର ୯୪.୫୨% । ଚଳିତ ବର୍ଷ ୧ ହଜାର ୧୨୪ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ୧୦୦% ହୋଇଛି । ଅର୍ଥାତ୍ ସମସ୍ତେ ପାସ କରିଛନ୍ତି । ବିଜ୍ଞାନରେ ନୟାଗଡ ଜିଲ୍ଲା ୯୧.୧୧% ପ୍ରତିଶତ ରେଜଲ୍ଟ ସହ ଶୀର୍ଷରେ ରହିଛି । ସେହିପରି କନ୍ଧମାଳ ସର୍ବନିମ୍ନ ୭୬.୮୧% ରଖିଛି ।

ସେହିପରି ବାଣିଜ୍ୟରେ ପରୀକ୍ଷା ଦେଇଥିଲେ ୨୩ ହଜାର ୭୨୬ ପିଲା । ସେମାନଙ୍କ ମଧ୍ୟରୁ ୮୯,୨୦% ଅର୍ଥାତ୍ ୨୧ ହଜାର ୧୬୫ ଜଣ ପାସ କରିଛନ୍ତି । ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୧୦ ହଜାର ୮୬୩ ଜଣ ପିଲା ଉତିର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ ବୌଦ୍ଧ ଶତପ୍ରତିଶତ ରେଜଲ୍ଟ କରିଛି । ଯୁକ୍ତ ଦୁଇ ବାଣିଜ୍ୟରେ ଦେବଗଡ ସର୍ବନିମ୍ନ ୬୧.୫୩% ରେଜଲ୍ଟ ରଖିଛି ।

ସେପଟେ କଳା ଓ ଧନ୍ଦାମୂଳକ ଶିକ୍ଷାର ମଧ୍ୟ ମୂଲ୍ୟାୟନ ସରି ଟେବୁଲେସନ ଚାଲୁଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ।