ନିଯୁକ୍ତି ନେଇ ସଂସଦରେ ବୟାନ ରଖିଲେ କେନ୍ଦ୍ର ସରକାର । ୨୦୧୪ ରୁ ଏପର୍ଯ୍ୟନ୍ତ ୨୨ କୋଟି ଯୁବକ ଚାକିରି ପାଇଁ କରିଛନ୍ତି ଆବେଦନ ହେଲେ ନିଯୁକ୍ତି ସଂଖ୍ୟା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

130

କନକ ବ୍ୟୁରୋ : ଦେଶରେ ବେରୋଜଗାର ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଘରୋଇକରଣ , କର୍ମକ୍ଷେତ୍ରରେ ମେସିନର ବ୍ୟବହାର ଆଦି କାରଣରୁ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ନେଇ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ଆଜି ସଂସଦରେ କେନ୍ଦ୍ରସରକାର ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ଦେଇଥିବା ନିଯୁକ୍ତି ଓ ନିଯୁକ୍ତି ପାଇଁ କେତେ ଆବେଦନ ହୋଇଛି ତାହା ଉପରେ ସ୍ପଷ୍ଟ ମତ ରଖିଛନ୍ତି ।

ଆଜି ସଂସଦରେ ବିରୋଧୀଦଳଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସରକାର କହିଛନ୍ତି କି ୨୦୧୪ ରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ୭ ଲକ୍ଷ ୨୨ ହଜାର ୩୧୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । କର୍ମଚାରୀ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଜବାବ ଦେଇ କହିଛନ୍ତି କି ଏହି ସମୟ ଅବଧି ମଧ୍ୟରେ ଦେଶରେ ୨୨ କୋଟି ଯୁବକ ଯୁବତୀ ବିଭିନ୍ନ ପଦରେ ଚାକିରି ପାଇଁ ଆବେଦନ କରିଥିଲେ ।

ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ ୨୦୧୪-୧୫ ରେ ୧,୩୦,୪୩୦ ଜଣଙ୍କୁ ଚାକିରି ମିଳିଥିବା ବେଳେ ୨୦୧୫-୧୬ ରେ ୧,୧୧,୮୦୭ ଜଣଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ୨୦୧୬-୧୭ ରେ ୧,୦୧,୩୩. ୨୦୧୭-୧୮ ରେ ୭୬,୧୪୭ , ୨୦୧୮-୧୯ ରେ ୩୮,୧୦୦, ୨୦୧୯-୨୦ ରେ ୧,୪୭,୦୯୬, ୨୦୨୦-୨୧ ରେ ୭୮,୫୫୫ ଓ ୨୦୨୧-୨୨ ରେ ୩୮,୮୫୦ ଜଣଙ୍କୁ ନିଯୁକ୍ତି ମିଳିଛି ।

କହିରଖୁ କି ବିରୋଧିଦଳମାନେ ଲଗାତର ଭାବେ ଦରବୃଦ୍ଧିକୁ ନେଇ ସରକାରଙ୍କୁ ପ୍ରଶ୍ନ କରି କାଠଗଡାରେ ଠିଆ କରୁଛନ୍ତି । କଂଗ୍ରେସର କହିବା କଥା କି ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ବାର୍ଷିକ ୨ କୋଟି ବେକାରୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ରୋଜଗାର ଦେବା ତ ଦୂରର କଥା ବରଂ ବାର୍ଷିକ କୋଟି କୋଟି ଲୋକଙ୍କ ଠାରୁ ସେମାନଙ୍କ ରୋଜଗାର ଛଡାଇ ନେଇଛି କେନ୍ଦ୍ର ସରକାର ।