ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ ସେୟାର। ଧନୀ ତାଲିକାରେ ୨୨ ନମ୍ବର ସ୍ଥାନକୁ ଖସିଲେ ଆଦାନୀ।

562

କନକ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟ ପରେ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି ଆଦାନୀ ଗ୍ରୁପ୍ର ସେୟାର ମୂଲ୍ୟ । ଯାହାର ପ୍ରଭାବ ଆଦାନୀ ଗ୍ରୁପର ମୋଟ୍ ଆୟରେ ବି ପରିଲକ୍ଷିତ ହୋଇଛି । ଶୁକ୍ରବାର ଆସିଥିବା ଏକ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପର ମୋଟ ଆୟ ଏବେ ୮ ଲକ୍ଷ କୋଟିକୁ ଖସିଥିବା ଜଣାପଡିଛି । ଏହାରି ସହିତ ବିଶ୍ୱର ଧନୀ ତାଲିକାରେ ଶ୍ରେଷ୍ଠ ୨୨ନମ୍ବର ସ୍ଥାନକୁ ଖସି ଆସିଛି ଗୌତମ ଅଦାନୀଙ୍କ ସ୍ଥାନ । ୨୦୨୨ ବିଶ୍ୱର ଏକ ନମ୍ବର ଧନୀ ମାନ୍ୟତା ପାଇଥିବା ଗୌତମ ଆଦାନୀ ଏବେ ଧନୀ ତାଲିକାରେ ଶ୍ରେଷ୍ଠ ୨୦ ଜଣଙ୍କ ଭିତରେ ବି ନାହାଁନ୍ତି । ସେପଟେ ଅଦାନୀ ଗ୍ରୁପକୁ ସଂସଦରେ ବିରୋଧୀର ହଙ୍ଗାମା ଭିତରେ ପ୍ରଥମ କରି କେନ୍ଦ୍ର ସରକାର ତରଫରୁ ପ୍ରତିକ୍ରିୟା ଆସିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଏହି ମାମଲାରେ ସରକାଙ୍କ କୌଣସି ଲେଣଦେଣ ନାହିଁ ।

ଗୁରୁବାର ୬୪.୭ ଅରବ ଡଲାର ସହିତ ବିଶ୍ୱର ଧନୀ ତାଲିକାର ୧୬ ନମ୍ବର ସ୍ଥାନରେ ରହିଥିଲେ ଗୌତମ ଆଦାନୀ । ହେଲେ ମାତ୍ର ୨୪ ଘଣ୍ଟା ଭିତରେ ଆଦାନୀ ସେୟାରରେ ଏଭଳି ସୁନାମୀ ଆସିଲା ଯେ, ୧୬ ନମ୍ବରରୁ ୨୨ ତମ ସ୍ଥାନକୁ ଖସି ଆସିଛନ୍ତି ଆଦାନୀ । ଗତ ଏକ ସପ୍ତାହ ଭିତରେ ଗୌତମ ଆଦାନୀଙ୍କ କମ୍ପାନୀ ଗୁଡିକର ସେୟାର ଦ୍ରୁତବେଗରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଗୁରୁବାର ସେୟାର ବଜାର ବନ୍ଦ ହେବା ବେଳକୁ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ସେୟାର ୨୧.୬୧% ହ୍ରାସ ପାଇ ୧,୬୯୪ ଟଙ୍କା, ଆଦାନୀ ପାୱାର ଲିମିଟେଡ୍ର ସେୟାର ୪.୯୮% ହ୍ରାସ ପାଇ ୨୦୨ ଟଙ୍କା ଏବଂ ଆଦାନୀ ୱିଲମାର ଲିମିଡେଟ୍ ୫% ହ୍ରାସ ପାଇ ୪୨୧ ଟଙ୍କା ରେକର୍ଡ ହୋଇଛି ।

ଆମେରିକୀୟ ଫରେନସିକ୍ ଫାଇନାନସିଆଲ କମ୍ପାନୀ ହିଣ୍ଡେନବର୍ଗ, ଆଦାନୀ ଗ୍ରୁପ୍କୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏଥିରେ ମୋଟ ୮୮ଟି ପ୍ରଶ୍ନ ଆଦାନୀ ଗ୍ରୁପ୍ ଉପରେ ଉଠାଯାଇଛି । ୨୪ ଜାନୁଆରୀରେ ଆଦାନୀ ଗ୍ରୁପ ନାଁରେ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି ଆଦାନୀ ଗ୍ରୁପ୍ ଏହାର ଅଂଶଧନ ମୂଲ୍ୟ ବୃଦ୍ଧି ପଛରେ ଆକାଉଣ୍ଟିଂ ଠକେଇ କରିଛି । ତେବେ ଗୌତମ ଆଦାନୀ ଏହି ରିପୋର୍ଟକୁ ଭୁଲ ବୋଲି କହିଛନ୍ତି ।