ଜଟିଳ ହେଉଛି ନାୟିକା ବନାମ ନିର୍ଦ୍ଦେଶକ ବିବାଦ : ନିର୍ଯାତନା ଅଭିଯୋଗରେ ଆଇନର ଆଶ୍ରୟ ନେବେ ଏଲସା

ନିର୍ଦ୍ଦେଶକ କହିଲେ, ମନଗଢା କାହାଣୀ କହୁଛନ୍ତି ନାୟିକା

119

କନକ ବ୍ୟୁରୋ: ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନେବେ ବଙ୍ଗିୟ ଅଭିନେତ୍ରୀ ଏଲସା ଘୋଷ । ସୋସିଆଲ ମିଡିଆରେ ଏଲସା ଏହି ସୂଚନା ଦେଇଛନ୍ତି । ସେ ପୁଣି ଥରେ ଦୋହରାଇଛନ୍ତି ଯେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ତାଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିଛନ୍ତି । ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏଲସା ମନଗଢା କାହାଣୀ ବୋଲି କହିଛନ୍ତି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ।

ଓଡିଆ ଫିଲ୍ମ ‘ତୁ ମୋ ସୁନା ଚଢେଇ’ରେ ଅଭିନୟ କରିଥିବା ଅଭିନେତ୍ରୀ ଏଲସା ଘୋଷଙ୍କ କଡା ଆଭିମୁଖ୍ୟ । ସୁଟିଂ ସେଟରେ ମାନସିକ ନିର୍ଯାତନା ଦେବା ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବାରୁ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି ଏଲସା । ଏଥିପାଇଁ ସେ ତାଙ୍କ ଓଳିଲଙ୍କ ସହ କଥାବାର୍ତା କରୁଛନ୍ତି । ଖବୁଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଜି ସୋସିଆଲ ମିଡିଆରେ କହିଛନ୍ତି ଏଲସା ।

ସେପଟେ ପୁରା ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଚଳଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ । ଯଦି ଅଭିନେତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିଲା ଏବଂ ଆହୁରି ଅଧିକ କିଛି ହୋଇଥିଲା, ତେବେ ଏତେ ଦିନ ଚୁପ୍ କାହିଁକି ରହିଥିଲେ ବୋଲି ପ୍ରଶ୍ନ କରିଛନ୍ତି କୁନା ତ୍ରିପାଠୀ । ତୁରନ୍ତ ଆଇନର ଆଶ୍ରୟ ନେବାର ଥିଲା । ଅନ୍ୟପକ୍ଷରେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଲସା ମନଗଢା କାହାଣୀ କହୁଛନ୍ତି ।

‘ତୁ ମୋ ସୁନା ଚଢେଇ’ର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ପଦାରେ ପଡିଥିଲା ଓଲିଉଡର ଭିତିରିକଥା । ବଙ୍ଗିୟ ଅଭିନେତ୍ରୀ ଏଲସା ଘୋଷ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ । କଥା କଟାକଟି ସାଙ୍ଗକୁ ହାତାହାତିର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ଜଣଙ୍କ ଖୋଲାଖୋଲି ଦିଲ୍ଲୀପ ପଣ୍ଡାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ । ସେଟରେ ତାଙ୍କ ସହ କଣ ହୋଇଥିଲା ସେ କଥା କହିବା ପାଇଁ ବାରମ୍ବାର ଧମକ ମଧ୍ୟ ଦେଇଥିଲେ ଏଲସା ।