ଅପରାଜିତାଙ୍କ ଟ୍ୱିଟକୁ ନେଇ ସରଗରମ ରାଜ୍ୟ ରାଜନୀତି ! ପଲିଟିକାଲ ଚ୍ୟାଲେଞ୍ଜ ପାଇଁ ଇସାରା ଦେଲେ ବ୍ୟୁରୋକ୍ରାଟ୍ ।

783

କନକ ବ୍ୟୁରୋ : ବରିଷ୍ଠ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ମିଶି ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ଚର୍ଚ୍ଚା ଯେତିକି ବଢୁଛି, ସେତିକି ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ବିଜେପି ଏନେଇ ମାପିଚୁପି ମନ୍ତବ୍ୟ ରଖୁଥିବା ବେଳେ ପୂରା ଘଟଣା ଉପରେ ତୀକ୍ଷଣ ନଜର ରଖିଛି ବିଜେଡି । ଆଉ ଏହି ସମୟରେ ନିଜ ଟ୍ୱିଟର ପେଜରେ ଅପରାଜିତା ଏପରି କିଛି ପୋଷ୍ଟ କରିଛନ୍ତି, ଯାହା ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ଇଂଗିତ କରୁଛି ।

ଅପରାଜିତା ଷଡ଼ଙ୍ଗୀ ଟ୍ୱିଟରରେ ରଖିଛନ୍ତି କିଛି ଏଭଳି ମତାମତ  । ଅପରାଜିତା ଲେଖିଛନ୍ତି,

ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥ ସମସ୍ତଙ୍କ ଦ୍ୱାରା ଟଣା ଯାଇଥାଏ,

ଜଣଙ୍କ ଦ୍ୱାରା ନୁହେଁ । ସମସ୍ତ ସଫଳତା ମିଳିତ ଉଦ୍ୟମ ଦ୍ୱାରା ମିଳିଥାଏ ।

‘ମୁଁ’, ନୁହେଁ ‘ଆମେ’ ।

ଅପରାଜିତାଙ୍କ ଏହି ପୋଷ୍ଟର ଶବ୍ଦ ଗୁଡିକରେ ରାଜନୀତିର ସଂକେତ ମିଳିବା ପରେ ଭକ୍ତଶେଖର ରାୟ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ପଚାରିଥିଲେ  –

ମ୍ୟାଡମ ଆପଣଙ୍କୁ ଉପଦେଶ ଉଦ୍ଦେଶ୍ୟରେ ନୁହେଁ

ଜଣେ ଶୁଭେଚ୍ଛୁ ଭାବେ ମୁଁ ଆପଣଙ୍କୁ କହିବାକୁ ଚାହେଁ

ଆପଣ ଜଣେ ଦକ୍ଷ ପ୍ରଶାସକ ଭାବେ ଓଡିଶାରେ ପରିଚିତ ।

ଆପଣ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜନୀତି ଗୋଟିଏ ଗୋଳିଆ ପାଣି ସଦୃଶ ।

ତେଣୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ ।

ସମ୍ମାନ କେଉଁଠି ଆଗେ ଭାବନ୍ତୁ ।

ଏହାର ଉତ୍ତର ମଧ୍ୟ ରଖିଛନ୍ତି ଅପରାଜିତା  । ସେ ଟ୍ୱିଟ୍ କରି ଲେଖିଛନ୍ତି,

ମୁଁ ସବୁବେଳେ ଆହ୍ୱାନକୁ ସାମ୍ନା କରିବାକୁ ଭଲପାଏ ।

ଯଦି ଆମର ଉଦ୍ଦେଶ୍ୟ ଠିକ ଥାଏ ଓ କଠିନ ପରିଶ୍ରମ କରିବା

ପାଇଁ ପ୍ରସ୍ତୁତ ରହିବା, ତେବେ ବିଶ୍ୱର ସବୁ ଗତିବିଧି ଆମ ସପକ୍ଷରେ ରହିବ ।

ସେହିପରି ଆଉ ଏକ ପୋଷ୍ଟରେ ଅପରାଜିତା ଲେଖିଛନ୍ତି –

କେବଳ ବଂଚିବା ମୋ ଜୀବନର ଲକ୍ଷ୍ୟ ନୁହେଁ

ବରଂ ଉନ୍ନତିମୂଳକ କାର୍ଯ୍ୟରେ ନିୟୋଜିତ ଜୀବନ ଚାହେଁ ।

ନିଜର ଆଗ୍ରହ, ଆନନ୍ଦ ଓ ଅନ୍ଦାଜରେ କାମ କରିବା ପାଇଁ ଚାହେଁ ।

ମାୟା ଏଞ୍ଜେଲିଓଙ୍କ ଏହି ଶବ୍ଦ ମୋ ଜୀବନ ଦର୍ଶନ ।

ହଠାତ୍ ଟ୍ୱିଟର ପେଜରେ ଅପରାଜିତାଙ୍କୁ ସକ୍ରିୟ ହେବା ଦେଖି କନକ ନ୍ୟୁଜ୍ ଏଡିଟର ମନୋରଂଜନ ମିଶ୍ର ପ୍ରଶ୍ନ କରିଥିଲେ, ଆଶା କରୁଛି ଏହା ବାସ୍ତବରେ ମ୍ୟାଡମ ଅପରାଜିତାଙ୍କ ଟ୍ୱିଟର ଆକାଉଂଟ?

ଏହାର ମଧ୍ୟ ଜବାବ ରଖିଥିଲେ ଅପରାଜିତା ଷଡ଼ଙ୍ଗୀ । ସେ ଲେଖିଥିଲେ,

ହଁ, ମନୋରଞ୍ଜନ ବାବୁ ।

ଏହି ଆକାଉଂଟକୁ ମୁଁ ନିଜେ ବ୍ୟବହାର କରୁଛି ।

କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ କାହାକୁ ଦିଆଯାଏ ନାହିଁ ।

ନମସ୍କାର ।

ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ରାଜନୀତିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଚାଲୁଥିବା ବେଳେ ସାମ୍ନାକୁ ଆସିଛି ଅପରାଜିତାଙ୍କ ଏହି ସବୁ ଟ୍ୱିଟ୍ । ଏଥିରୁ ଅନୁମାନ କରି ହେଉଛି ଯେ ନୂଆ କ୍ୟାରିୟର ପାଇଁ ପୂରା ଦମ୍ ଲଗାଇ ମାନସିକ ପ୍ରସ୍ତୁତି କରୁଛନ୍ତି ଏହି ବ୍ୟୁରୋକ୍ରାଟ୍ । ବିଜେପିରେ ଅପରାଜିତା ଯୋଗ ଦେବା ନେଇ ଚର୍ଚ୍ଚା ବଢୁଥିବା ବେଳେ ଏହାକୁ ନେଇ ଉଷୁମ ହେଉଛି ରାଜ୍ୟ ରାଜନୀତି । ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ଏପଟେ ଅପରାଜିତାଙ୍କ ପଦକ୍ଷେପ ଉପରେ ତୀକ୍ଷ୍ଣ ନଜର ରଖିଛି ଶାସକ ବିଜେଡି । ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଅନୁମୋଦନ କରି ସାରିଛନ୍ତି ରାଜ୍ୟ ସରକାର । ଏବେ କେନ୍ଦ୍ର ସରକାରଙ୍କ ସ୍ୱୀକୃତିକୁ ଅପେକ୍ଷା ।