ଲଘୁଚାପ ଜନିତ ଲଗାଣ ବର୍ଷା ଭାଙ୍ଗିଲା ଚାଷୀର ମେରୁଦଣ୍ଡ । ଖଲ୍ଲିକୋଟ ବ୍ଲକର ଏକର ଏକର ଚାଷ ଜମିରେ ପଶିଲା ପାଣି ।

56

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଚାଷୀର ମେରୁଦଣ୍ଡ । ଗଞ୍ଜାମ ଖଲ୍ଲିକୋଟ୍ ବ୍ଲକରେ ଏକର ଏକର ଚାଷ ଜମିରେ ପଶିଲା ପାଣି । ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ଗଛଗୁଡ଼ିକ ପାଣିରେ ବୁଡ଼ି ରହିଛି । ଫଳରେ ଧାନ ଗଛ ଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ । ସେହିପରି କୋମଣ୍ଡ ପଞ୍ଚାୟତ ବଡ଼ରାମପଲ୍ଲୀ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଡମରାପଲ୍ଲୀ ଠାରୁ ବିଏନପୁର ଯାତାୟତ ବାଧାପ୍ରାପ୍ତ ହୋଇଛି । କୋମଣ୍ଡ ପଞ୍ଚାୟତ ଦେଇ ଯାଇଥିବା ଖରଖରି ନାଳରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ପ୍ରତିବର୍ଷ ଧାନ ଫସଲ ସମୟରେ ଏଭଳି ବନ୍ୟା ସ୍ଥିତି ସୃଷ୍ଟି ହେଉଛି । ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ଖରଖରି ନାଳ ପୁନରୁଦ୍ଧାର ହେଉନାହିଁ । ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।