ଦେଶରେ ବଢ଼ୁଛି ବେକାରୀ ସଂଖ୍ୟା: ସିଏମଆଇର ତଥ୍ୟ, ଅକ୍ଟୋବର ତୁନଳାରେ ନଭେମ୍ବରରେ ବୃଦ୍ଧିପାଇଛି ୮ ପ୍ରତିଶତ ବେକାରୀ 

114

କନକ ବ୍ୟୁରୋ: ସିଏମଆଇଇର ରିପୋର୍ଟ ଅନୁସାରେ ଦେଶରେ ବଢିଛି ବେକାରୀ । ଅକ୍ଟୋବର ତୁଳନାରେ ନଭେମ୍ବରରେ ୮ ପ୍ରତିଶତ ଅଧିକ ବଢିଛି ବେକାରୀ ସଂଖ୍ୟା । ସେପ୍ଟେମ୍ବର ମାସରେ ବେକାରୀ ୭.୭୫ ପ୍ରତିଶତ  ବଢିଥିଲା । ମେ ମାସରେ ଦେଶରେ ୧କୋଟି ୫୦ ଲକ୍ଷ ଲୋକ ରୋଜଗାର ହରେଇଥିଲେ । କେବଳ ଅଗଷ୍ଟ ମାସରେ ଦେଶରେ ୧୫ ଲକ୍ଷ ନିଜ ଚାକିରି ହରାଇଛନ୍ତି ।

ସେହିପରି ଗ୍ରାମାଂଚଳରେ ଅଧିକ ବେକାରୀ ରହିଛନ୍ତି । ସହରାଂଚଳର ଅବସ୍ଥା ଗ୍ରାମାଂଚଳ ଠାରୁ ଭଲ ରହିଛି । ଗ୍ରାମାଂଚଳରେ ବେକାରୀ ପୂର୍ବମାସଠାରୁ ୧.୫ ପ୍ରତିଶତ ବଢିଛି । ସହରାଂଚଳରେ ବେକାରୀ ପୂର୍ବମାସ ଠାରୁ ୦.୭୫ ପ୍ରତିଶତ କମିଛି । ଦେଶରେ  ଉଚ୍ଚ ଶିକ୍ଷିତଙ୍କ ଦରମା ହାରାହାରି ମାସକୁ ୮ ହଜାର ଟଙ୍କା । ପୋଷ୍ଟ ଗ୍ରାଜୁଏସନ କରିଥିବା  ଲୋକଙ୍କ ହାରାହାରି ମାସକ ଦରମା ୭୫୦୦ ଟଙ୍କା । ଦେଶରେ ୨୦୨୦ରେ ୧୦ ଲକ୍ଷ ପିଜି କରିଥିବା ଛାତ୍ର ଚତୁର୍ଥ ଶ୍ରେଣୀ ଚାକିରି ପାଇଁ ଆବେଦନ କରିଥିଲେ ।

ଦେଶର ଅଗ୍ରଣୀ ତଥା ବିକଶିତ ରାଜ୍ୟ ଗୁଜୁରାଟରେ ଗ୍ରାମରକ୍ଷୀ ଦଳରେ ନିଯୁକ୍ତି ପାଇଁ ସାକ୍ଷାତକାର ଦେବାକୁ ଆସିଥିବା ଆଶାୟୀ ପ୍ରାର୍ଥୀଙ୍କ ଦୃଶ୍ୟ । ପାଲନପୁର ବନଶକଂଟା ଅଂଚଳରେ ମାତ୍ର ୬ଶହ ଗ୍ରାମରକ୍ଷା ଦଳ ପଦବୀ  ପାଇଁ ଜମା ହୋଇଥିଲେ ହଜାର ହଜାର ଯୁବକ । ଆଶାୟୀଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ଦଳାଚକଟା ହୋଇଥିଲା । ଶେଷରେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲାଠିମାଡ କରିଥିଲା ପୋଲିସ ।

ଗ୍ରାମରକ୍ଷୀ ଭର୍ତି ପାଇଁ ଗୁଜୁରାଟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞାପନ ଜାରି କରାଯାଇଥିଲା । ୯ ହଜାର ପୋଷ୍ଟ ପାଇଁ ବିଜ୍ଞାପନ ବାହାରିଥିଲା । ଆଉ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଥିଲା ମାତ୍ର ତୃତୀୟ ଶ୍ରେଣୀ ବା ଅଧିକ । ଆଉ ବୟସ ସୀମା ୨୦ ରୁ ୫୦ ବର୍ଷ ରହିଥିଲା । ବେତନ ବାବଦକୁ ଦୈନିକ ମାତ୍ର ୨୩୦ ଟଙ୍କା ମିଳିବ । ଏଥିପାଇଁ ଜିଲ୍ଲାୱାରୀ ସାକ୍ଷାତକାର କରାଯାଇ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଥିଲା । ଏହି କ୍ରମରେ ଶନିବାର ପାଳନପୁର ବନଶକଂଟା ଅଂଚଳରେ ସାକ୍ଷାତକାର ଥିଲା । ଏହା ଜାଣିବା ପରେ ପହଁଚି ଯାଇଥିଲେ ହଜାର ହଜାର ବେକାରୀ ଯୁବକ । ଏହି ଦୃଶ୍ୟ ଅନେକ କିଛି କଥାକୁ ପଦାରେ ପକାଇଛି । ଦେଶରେ ବେକାରୀ ସଂଖ୍ୟା କେତେ ଉକ୍ରଟ ତାହା ସାମନାକୁ ଆସିଛି ।