ନଗଦ ଟଙ୍କାର ମୋହ ଛାଡିନାହାନ୍ତି ଦେଶବାସୀ: ଲୋକଙ୍କ ନିକଟରେ ରହିଛି ପ୍ରାୟ ୩୧ ଲକ୍ଷ କୋଟି ଟଙ୍କାର ନୋଟ୍

2,282

କନକ ବ୍ୟୁରୋ: ନଗଦରାଶିକୁ କମ୍ କରବା ଓ ଦୁର୍ନୀତିକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍ ୬ବର୍ଷ ତଳେ ଏହି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଅଚଳ ହୋଇଯାଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ । ନୋଟ ଅଚଳ ହୋଇଯିବା ପରେ କୋଟି କୋଟି ଲୋକ ଟଙ୍କା ବଦଳାଇବା ପାଇଁ ବିଭିନ୍ନ ବ୍ୟାଙ୍କ ଆଗରେ ଧାଡି ଲଗାଇଥିଲେ । କିନ୍ତୁ ନଗଦ ରାଶିକୁ ନେଇ ଏବେ ଯେଉଁ ତଥ୍ୟ ଆସିଛି ତାହା ବିମୁଦ୍ରିକରଣ ନେଇ ବଡ ପ୍ରଶ୍ନ ଛିଡା କରିଛି ।

ନିକଟରେ ରିଜର୍ଭ ବ୍ୟାଙ୍କ ଦେଇଥିବା ରିପୋର୍ଟ ଅନୁସାରେ ଏବେ ଲୋକଙ୍କ ପାଖରେ ରେକର୍ଡ ପରିମାଣରେ ନଗଦ ଟଙ୍କା ରହିଛି । ନଭେମ୍ବର ୨୦୧୬ରେ ଲୋକଙ୍କ ପାଖରେ ୧୨ଦଶମିକ ୯୧ଲକ୍ଷ କୋଟି ଟଙ୍କା ଥିଲା । ଯାହା ଅକ୍ଟୋବର ୨୦୨୨ରେ ୩୦ଦଶମିକ ୮୮ଲକ୍ଷ କୋଟି ହୋଇଛି । ଯାହାକି ୨୦୧୬ ତୁଳନାରେ ପ୍ରାୟ ୭୨ ପ୍ରତିଶତ ଅଧିକ । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ବିମୁଦ୍ରୀକରଣକୁ ଏକ ଜୁମଲା ବୋଲି କହି ସମାଲୋଚନ କରିଛନ୍ତି । କଂଗ୍ରେସ ସଭାପତି ଟୁଇଟ୍ କରି କହିଛନ୍ତି, ବିମୁଦ୍ରୀକରଣ ଦେଶର ବ୍ୟବସାୟ ଓ ନିଯୁକ୍ତିକୁ ଧ୍ୱଂସ କରି ଦେଇଛି ।

ନଗଦରାଶିକୁ କମ କରିବା ଓ କଳାଧନକୁ ରୋକିବା ପାଇଁ ୬ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ ବି ଲୋକଙ୍କ ହାତରେ ନଗଦ ରାଶି ବଢ଼ିବା ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । ବିମୁଦ୍ରୀକରଣ ଯୋଜନା ଫେଲ ମାରିଲା କି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଫେଲ ମାରିଲା କହି ହେବନି ବୋଲି କହିଛନ୍ତିି ଅର୍ଥନୀତିଜ୍ଞ ।

ଭାରତୀୟ ଲୋକଙ୍କ ଭିତରେ ନଗଦ ଅର୍ଥ କାରବାରକୁ ନେଇ ମୋହ ରହିଛି । ନଗଦ ଟଙ୍କା ରଖିବାର ମୋହ ରହିଛି । ତେବେ ୨୦୧୬ରେ ଡିଜିଟାଲ ମୋଡରେ ବହୁ ଅର୍ଥ କାରବାର ହେଉଥିଲେ ବି ଅର୍ଥନୀତିର ଆକାର ବଢ଼ିବା ସହ ତାଳ ଦେଇ ବଢ଼ିପାରିନାହିଁ ।