କବର ଭିତରୁ କଢାହେବ ପୂର୍ବତନ ସାଂସଦ ଆମିର ଲିଆକତଙ୍କ ଶବ । ପାକିସ୍ତାନରେ ପ୍ରତିବାଦର ସ୍ୱର

445

କନକ ବ୍ୟୁରୋ: ପାକିସ୍ତାନର ଲୋକପ୍ରିୟ ଟିଭି ହୋଷ୍ଟ ତଥା ପୂର୍ବତନ ସାଂସଦ ଥିବା ଆମିର ଲିଆକତଙ୍କୁ ମୃତ୍ୟୁ ପରେ ବି ନିସ୍ତାର ନାହିଁ । ଏବେ ତାଙ୍କ ମୃତ ଶରୀରକୁ କବରରୁ ବାହର କରି ପୋଷ୍ଟମର୍ଟମ୍ କରିବାକୁ ଆଦେଶ ଦେଇଛନ୍ତି ପାକିସ୍ତାନର ଏକ କୋର୍ଟ । ହେଲେ କୋର୍ଟ କାହିଁକି ଦେଲେ ଏପରି ଅଜବ ଆଦେଶ?

ଜୁନ୍ ୯ ତାରିଖରେ ପ୍ରାଣ ହରାଇଥିଲେ ଲିଆକତ୍ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକ କହିଥିଲେ । ତେବେ ଲିଆକତଙ୍କ ଜୀବନ ଯେତିକି ଦ୍ୱନ୍ଦ୍ୱରେ ଭରିଥିଲା ତାଙ୍କ ମୃତ୍ୟୁ ବି ସେତିକି ଚର୍ଚ୍ଚିତ । ତାଙ୍କ ମୃତ୍ୟୁକୁ ନେଇ ସେତେବେଳେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ମନା କରିଦେଇଥିଲେ ପରିବାର ଲୋକେ । ନିକଟରେ ଅବଦୁଲ ଅହଦ ନାମକ ଜଣେ ବ୍ୟକ୍ତି ତାଙ୍କ ମୃତ୍ୟୁ ଉପରୁ ପର୍ଦ୍ଦା ଉଠାଇବାକୁ ନିବେଦନ ପୂର୍ବକ ଏକ ଆବେଦନ ପତ୍ର କୋର୍ଟରେ ଦାଖଲ କରିବା ପରେ କବରରୁ ଲିଆକତଙ୍କ ଶବ କାଢି ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ହେଲେ କୋର୍ଟଙ୍କ ଏହି ଆଦେଶକୁ ଦେଶର ବିଭିନ୍ନ ବର୍ଗ ବିରୋଧ କରିଛନ୍ତି । ବିଶେଷ କରି ଅଭିନୟ ଜଗତରେ ଏହାକୁ କଡା ବିରୋଧ କରାଯାଇଛି । ଅନ୍ତତଃ ମୃତ୍ୟୁ ପରେ ଲିଆକଙ୍କୁ ଟିକେ ଶାନ୍ତିରେ ଛାଡିଦେବାକୁ ସୋସିଆଲ ମିଡିିଆରେ ଅନୁରୋଧ କରିଛନ୍ତି ପାକିସ୍ତାନର ଜଣେ ଜଣାଶୁଣା ଅଭିନେତ୍ରୀ ଅନସାରି ବୁସରା ।

ତେବେ ନିଜ ଦାମ୍ପତ୍ୟ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲେ ଆମିର ଲିଆକତ୍ । ପୂର୍ବରୁ ଦୁଇଜଣଙ୍କୁ ବିବାହ କରି ତଲାକ୍ ଦେବା ପରେ ମୃତ୍ୟୁର କିଛି ମାସ ପୂର୍ବରୁ ତୃତୀୟ ବିବାହ କରିଥିଲେ । ସାୟିଦା ଦାନିଆ ଶାହ ନାମକ ଯୁବକଙ୍କୁ ଲିଆକତ୍ ବିବାହ କରିଥିଲେ ଯିଏ ଲିଆକତଙ୍କ ଠାରୁ ୩୧ ବର୍ଷ ସାନ ଥିଲେ । ହେଲେ ଏହି ତୃତୀୟ ବିବାହ ବି ସଫଳ ହୋଇନଥିବା ଚର୍ଚ୍ଚା ହେଉଥିଲା ।