ଚର୍ଚ୍ଚାରେ ଭଗବାନ ଗଣେଶଙ୍କ ଆଧାରକାର୍ଡ: ଜାଣନ୍ତୁ କେଉଁଠି ତିଆରି ହୋଇଛି ଏଭଳି ମଣ୍ଡପ

438

କନକ ବ୍ୟୁରୋ: ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ପୂଜା ପାଇବା ପରେ ଏବେ ସାରା ଦେଶ ଚଳଚଞ୍ଚଳ । ଦେଶରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଗଣପତିଙ୍କ ଆକର୍ଷଣୀୟ ପ୍ରତିମା ପୂଜା ପାଉଛି । ତେବେ ଏହାରି ଭିତରେ ଏଭଳି ଏକ ରୋଚକ ଖବର ସାମ୍ନାକୁ ଯେଉଁଠି ତିଆରି ହୋଇଛି ପ୍ରଭୁ ଗଣେଶଙ୍କ ଆଧାର କାର୍ଡ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସାଧାରଣ ମଣିଷଙ୍କ ଆଧାରକାର୍ଡ ପରି ଏଠାରେ ଗଣେଶଙ୍କର ବି ଆଧାରକାର୍ଡ ତିଆରି ହୋଇଛି । ଆଉ ସେଥିରେ ନାଁ ଠିକଣା ମଧ୍ୟ ରହିଛି ।

ଝାଡଖଣ୍ଡର ଜାମସେଦପୁରର ସାକଚୀ ବଜାରର ଏକ ମଣ୍ଡପରେ ଗଣେଶଙ୍କ ଆଧାରକାର୍ଡ ଏବେ ଚର୍ଚ୍ଚାରେ ରହିଛି । ଏହା ହେଉଛି ଭଗବାନ ଗଣେଶଙ୍କ ପାଇଁ ତିଆରି ହୋଇଥିବା ଆଧାରକାର୍ଡ । ଆଜ୍ଞା ହଁ ଏହି ଆଧାରକାର୍ଡକୁ ଭଲରେ ଦେଖିଲେ ଆପଣ ଜାଣିପାରିବେ ତା ଭିତରେ ଗଣପତି ପୂଜା ପାଉଛନ୍ତି । ଆଧାରକାର୍ଡରେ ଭଗବାନ ଗଣେଶଙ୍କ ଫଟୋ ସହ ତାଙ୍କ ଆଧାର ନମ୍ବର ରହିଛି । ସେଥିରେ ଲେଖା ଅଛି ଗଣେଶ, ପିତାଙ୍କ ନାଁ ମହାଦେବ, ଠିକଣା କୈଳାସ ପର୍ବତର ଟପ ଫ୍ଲୋର, ଆଉ ପିନ କୋର୍ଡ ମଧ୍ୟ ଦିଆଯାଇଛି । ଯାହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆଧାରକାର୍ଡକୁ ସ୍କାନ କଲା ପରେ ଭଗବାନ ଗଣେଶଙ୍କ ଫଟୋ ଆସିଯାଉଛି । ଯେଉଁଠାରେ ଲୋକମାନେ ନିଜ ଫୋନରେ ଭଗବାନଙ୍କୁ ଦର୍ଶନ କରିପାରୁଛନ୍ତି । ଲୋକମାନେ ଏଠାକୁ ଆସି ଭଗବାନଙ୍କ ଏହି ଆଧାରକାର୍ଡ ସହ ସେଲଫି ମଧ୍ୟ ନେଉଛନ୍ତି । ପୂଜା ପେଣ୍ଡାଲ ଚାରିପାଖରେ ଆଲୋକୀକରଣ ସହ ସାଜସଜା ହୋଇଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଗହଳି ମଧ୍ୟ ହେଉଛି ।

ଏହି ଆଧାରକାର୍ଡ ଜରିଆରେ ପୂଜା ପ୍ରଶାସନ କିଛି ବାର୍ତ୍ତା ମଧ୍ୟ ଦେଇଛନ୍ତି । ଏହାକୁ ଆଖି ଆଗରେ ରଖି ସେମାନେ ଏଭଳି ଭଗବାନଙ୍କ ଆଧାରକାର୍ଡ ତିଆରି କରିଛନ୍ତି । ଏଥିରେ ସେମାନେ ବାର୍ତ୍ତା ଦେଇଛନ୍ତି କି ଯେଉଁମାନେ ଆଧାରକାର୍ଡ ତିଆରି କରିନାହାନ୍ତି ଶୀଘ୍ର ତିଆରି କରିନିଅନ୍ତୁ । କାରଣ ଆଧାରକାର୍ଡ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ।