ପାରାଦୀପ ବେଳାଭୂମୀ ଉପରେ ବାଲି ମାଫିଆ ନଜର: ବାଲି ଚୋରା ଚାଲାଣ ଯୋଗୁଁ ବେଳାଭୂମିରେ ସୃଷ୍ଟି ହୋଇଛି ବଡବଡ ପୋଖରୀ 

51

କନକ ବ୍ୟୁରୋ: ବିପଦ ମୁହାଁ ପାରାଦ୍ୱୀପ ସମୁଦ୍ର ବେଳାଭୂମି । ବେଆଇନ୍ ବାଲି ଚୋରି ଯୋଗୁଁ ଉପକୂଳ ଅଂଚଳ ପାଇଁ ବଢୁଛି ବିପଦ ଆଶଙ୍କା । ଦିନକୁ ଦିନ ପାରାଦୀପ ବେଳାଭୂମିରେ ବଢିବାର ଲାଗିଛିି ବାଲି ମାଫିଆଙ୍କ ଆତଙ୍କ ରାଜ । ବେଧଡ଼କ ଭାବେ ଚୋରା ଚାଲାଣ ହେଉଛି ହଜାର ହଜାର ଟ୍ରିପ ଲୁଣା ବାଲି । ପାରାଦୀପ ମେରାଇନ ରୋଡ୍ରୁ ଭୋସ୍କାଲିସ୍ ପଏଂଟ ନିକଟ ବେଳାଭୂମିରୁ ଏପରି ଚୋରାଚାଲଣ ହେଉଛି । ସମୁଦ୍ରରୁ ମେସିନ ସାହାଯ୍ୟରେ ଲୁଣାବାଲି ବହୁ ପରିମାଣର ଚୋରି ହେଉଛି । ବେଧଡ଼କ ଭାବେ ଚୋରାଚାଲାଣ ହେଉଥିବାରୁ ବହୁ ସ୍ଥାନରେ କୃତ୍ରିମ ପୋଖରୀ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ପରିବେଶବିତ୍ ଚିନ୍ତାରେ ପଡିଯାଇଛନ୍ତି ।

ସିଆର୍ ଜେଡ୍ ଆଇନ୍ ଅନୁଯାଇ ସମୁଦ୍ର କୂଳ ଠାରୁ ୫୦୦ ମିଟର ପର୍ଯ୍ୟନ୍ତ ବାଲି ଉଠାଇବା ବେଆଇନ୍ । କିନ୍ତୁ ପାରାଦୀପରେ ସମୁଦ୍ର ପାଣି ଠାରୁ ମାତ୍ର ୧୦ ମିଟର  ଦୂରରୁ ବାଲି ଚୋରା ଚାଲାଣ ହେଉଛି । ଫଳରେ ସମୁଦ୍ର କୂଳରେ ରହିଥବା ବାଲିକୁଦ ଗୁଡିକ ନିଶ୍ଚିନ୍ନ ହୋଇଯାଉଛି । ଲୁଣାବାଲି ଚୋରି ପାଇଁ ବେଳାଭୂମି ଖୋଳା ଯାଉଥିବାରୁ ଏହି ପୋଖରୀ ଆଗକୁ ଅଂଚଳ ପ୍ରତି ବିପଦ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ ସମୁଦ୍ର ବେଳାଭୂମିର ରକ୍ଷା କବଚ ସାଜିଥିବା ଝାଉଁ ଜଙ୍ଗଲ ଲୁଟ୍ କରାଯାଉଛି । ଗଛ ସହ ଲୁଣାବାଲି ଲୁଟ୍ ଉପରେ ଏବେଠାରୁ ନଜର ନଦିଆଗଲେ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା ରହିଛି ।