ସାବାସ୍ ତନ୍ମୟ ! ୪ ବର୍ଷର ବାଳିକାକୁ କେନାଲରୁ ଉଦ୍ଧାର କଲା ୬ ବର୍ଷର ବାଳକ

579

କନକ ବ୍ୟୁରୋ : ଜଣେ ୬ ବର୍ଷର ବାଳକ ଯୋଗୁଁ ଏକ ବଡ଼ଧରଣର ବିପଦ ଟଳିଗଲା। ଗାଁ କେନାଲରେ ବୁଡ଼ି ଯାଉଥିବା ୪ ବର୍ଷର କୁନିଝିଅ ରକ୍ଷା ପାଇଗଲା। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡ଼ା ଗ୍ରାମରେ। ଏହି ଗାଁ ଦେଇ ଯାଇଛି ଟେନାର ଜଳସେଚନ ପ୍ରକଳ୍ପର ଶାଖା କେନାଲ। ଘର ପାଖ ଦେଇ ବହିଯାଉଥିବା ଏହି କେନାଲ ଶାଖା ହ୍ୟୁମ୍ ପାଇପ୍ ପୋଲରେ ସାଥୀ ହୋଇ ଖେଳୁଥିଲେ ବିନୋଦ ବେହେରାଙ୍କ ୪ ବର୍ଷର କୁନିଝିଅ ସୁରଭି ଓ ତ୍ରିଲୋଚନ ସାହୁଙ୍କ ୬ ବର୍ଷର ପୁଅ ତନ୍ମୟ। ଗତ ୭ ତାରିଖର ଘଟଣା। ବର୍ଷା ହୋଇ ଛାଡ଼ି ଯାଇଥିଲା। କେନାଲରେ ପାଣିର ସୁଅ ବି ଅଧିକ ଥିଲା। ଦୁଇ ଶିଶୁ ପୋଲର ଉପର ମୁଣ୍ଡରେ କାଗଜ, ଘାସ ଆଦି ପକାଉଥିଲେ। ତଳମୁଣ୍ଡରେ ତାହା ବାହାରିଲା କି ନାହିଁ କୁନି ପାଦରେ ଦୌଡ଼ାଦୌଡ଼ି ଯାଇ ଦେଖୁଥିଲେ।

ଖୁସିରେ ତାଳି ମାରୁଥିଲେ। ଏମିତି ଖେଳୁଖେଳୁ ହଠାତ୍ ପୋଲର ଉପର ମୁଣ୍ଡରେ ସୁରଭି ଗଳି ପଡ଼ିଲା। ଏହା ଦେଖି ୬ ବର୍ଷର ତନ୍ମୟ ସଙ୍ଗେସଙ୍ଗେ ସୁରଭିର ହାତକୁ ଧରି ପକାଇଥିଲା। କୁନିଝିଅର କାନ୍ଦ ଓ ତନ୍ମୟର ପାଟି ଶୁଣି ଲୋକେ ଦୌଡ଼ି ଆସି ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଫଳରେ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଥିଲା। ହୋମପାଇପଟି ପ୍ରାୟ ୩ ଫୁଟର ହୋଇଥିଲାବେଳେ ସେଥିରେ ସଂପୂର୍ଣ୍ଣ ପାଣି ପ୍ରବାହିତ ହେଉଥିଲା। ପୋଲର ଉପର ମୁଣ୍ଡ ପାଣିର ସୁଅରେ ଯଦି ଶିଶୁଟି ଟାଣି ହୋଇ ଯାଇଥାନ୍ତା, ତେବେ ତାର ଜୀବନ ପ୍ରତି ବିପଦ ଆଶଙ୍କା ଥିଲା ବୋଲି କହିଛନ୍ତି ବୁଢୀ ମା’ ପଞ୍ଚାଳୀ ବେହେରା।