ପରିବାରର ପେଟ ପାଇଁ ପରିଣତ ବୟସରେ ବୃଦ୍ଧା ବାହୁଛନ୍ତି ନାଆ । କେନ୍ଦ୍ରାପଡା ମାର୍ଶାଘାଇରେ ଭରା ନଦୀରେ ଲୋକଙ୍କୁ ଜଳଯାତ୍ରା କରାଉଛନ୍ତି ୯୨ ବର୍ଷିୟ ନାଉରୀ

114

କନକ ବ୍ୟୁରୋ : ଛାତିର ପଂଜରା ଗଣି ହୋଇଯାଉଛି । ଶରୀର କହିଲେ, କେଇ ଖଣ୍ଡ ହାଡ ଉପରେ ଚମଡାର ଚାଦରଟିଏ ଘୋଡେଇ ହୋଇଛି । ବୟସ ୯୦ ପାର୍, କିନ୍ତୁ ଆଜି ବି ଗୁଜୁରାଣ ମେଂଟାଇବା ପାଇଁ ହାତରେ କାତ ଧରିଛନ୍ତି । ଭରା ନଈର ଅକାତ କାତ ପାଣିକୁ କାଟି ନାଆ ବାହି ନେଉଛନ୍ତି । ଯାତ୍ରୀଙ୍କୁ ଏପାରିରୁ ସେପାରିରେ ପହଂଚାଇ ଯାହା ମିଳେ ସେଥିରେ ପରିବାର ଚଳେ । ଗରିବୀ ଆଗରେ ମୁଣ୍ଡ ନନୁଆଁଇ ନିଜ ବୃତିକୁ ଭରସା କରି ଆଜି ବି କର୍ମ କରି ଚାଲିଛନ୍ତି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଉପରବଟିରା ଗାଁର ଫଗୁ ବେହେରା ।

ବୁଢା ନାଉରୀଙ୍କ ଜୀବନ ଯାତ୍ରା ଯେତିକି ପ୍ରେରଣାଦାୟୀ, ସେତିିକି ସଂଘର୍ଷପୂର୍ଣ୍ଣ । ଜୀବନର ଅପରାହ୍ଣରେ ବିଶ୍ରାମ ନେବା ବୟସରେ ସଂସାର ଡଙ୍ଗା ପାଇଁ ପାଇକା ନଈରେ ଡଙ୍ଗା ବୋହୁଛନ୍ତି ଫଗୁ ମଉସା । କାରଣ ସ୍ତ୍ରୀ ଓ ବଡ ପୁଅ ଆରପାରିକୁ ଚାଲି ଗଲା ପରେ ତାଙ୍କ ମୁଣ୍ଡରେ ପରିବାରର ଦାୟିତ୍ୱ । କେନ୍ଦ୍ରାପଡା ଓ ଜଗତସିଂହପୁର ଜଳଯାତ୍ରା ପାଇଁ ଫଗୁ ମଉସାଙ୍କ ଡଙ୍ଗା ଚାଲିଲେ ୬ ପ୍ରାଣୀଙ୍କ ପେଟକୁ ଦାନା ଯିବ ।

୪୦ ବର୍ଷ ହେଲା ପାଇକାର ପାଣି, ଡଙ୍ଗା ଓ ଫଗୁ ମଉସାଙ୍କ ସଂପର୍କ । ଜୀବନ ଯେତେ ବୁଢା ହେଉଛି, ଏ ସଂପର୍କ ସେତେ ନିବିଡ ହେଉଛି ।