ରାଜ୍ୟରେ ବଡ ଧରଣର ଆଇଟି ରେଡ୍ ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ।

182

କନକ ବ୍ୟୁରୋ: ଓଡିଶାରେ ଆଇଟି ରେଡ୍ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ, ସାରା ଦେଶରେ ଥରକେ ଏତେ ଟଙ୍କା ଜବତ ହେବା ପ୍ରଥମ ଘଟଣା । ଏହା ଓଡିଶା ସରକାରଙ୍କ ସ୍ୱଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣାରେ ସିବିଆଇ ତଦନ୍ତ ଦାବି କରି ମନମୋହନ କହିଛନ୍ତି, କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଜଣାନ୍ତୁ ତାସହ ଗୃହ ବିଭାଗ ଫେଲ୍ ମାରିଥିବା ସ୍ୱୀକାର କରନ୍ତୁ… ଓଡିଶା ପାଇଁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ଘଟଣା ।

ତେବେ ଘଟଣାରେ ଯଦି କୌଣସି ବିଜେପି ନେତାଙ୍କ ସଂପୃକ୍ତି ଅଛି ବୋଲି ବିଜେଡି କହୁଛି ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗୋଇନ୍ଦା ସଂସ୍ଥା ମିଶି ଏହାକୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି କଳା ସାମ୍ରାଜ୍ୟ ବିଷୟରେ କେନ୍ଦ୍ର ସରକାର ଜାଣିଛନ୍ତି ହେଲେ ରାଜ୍ୟ ସରକାର ଏହା ବିଷୟରେ ଜାଣିନାହାନ୍ତି । ଏହା କିପରି ସମ୍ଭବ ? ଓଡ଼ିଶାର ଗୋଇନ୍ଦା ସଂସ୍ଥା ବା ଗୃହ ବିଭାଗ ଆଉ ଇଓଡବ୍ଲୁ ପାଖକୁ ଏ ବିଷୟରେ ଖବର ଆସିଲାନି କେମିତି ? ଏହି କଳା ସାମ୍ରାଜ୍ୟ ଓଡ଼ିଶା ସରକାରଙ୍କ ସହାୟତାରେ ଚାଲିଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଆରୋପ ଲଗାଇଛନ୍ତି ବିଜେପି ସଭାପତି ।

ତେବେ ଏତେ ଟଙ୍କା ଗୋଟେ ଜାଗାରୁ ବାହାରିବା ରାଜ୍ୟ ପାଇଁ ଲଜ୍ୟାର ବିଷୟ । ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଥିବା କମ୍ପାନୀରୁ ୫୦୦ କୋଟି ବାହାରିବ କେମିତି ? ଓଡ଼ିଶା ଓ ଝାଡ଼ଖଣ୍ଡ ସେମାନଙ୍କ ପାଇଁ ସୁରକ୍ଷିତ ଜାଗା ଥିଲା । ସାହୁ ବ୍ରଦର୍ସ ଆଣ୍ଡ କମ୍ପାନୀରେ ରାଜ୍ୟସରକାରଙ୍କ କଣ ଲିଙ୍କ ରହିଛି ? ରାଜ୍ୟ ସରକାର ମଦ ସାମ୍ରାଜ୍ୟ ଠାରୁ ପଇସା ପାଉଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବହୁ ମନ୍ତ୍ରୀ ଏବେ ବିବାଦ ଘେରରେ ଅଛନ୍ତି । ସରକାରୀ ଦଳର ଛତ୍ରଛାୟା ତଳେ ଏହି ସାମ୍ରାଜ୍ୟ ସୁରକ୍ଷିତ ରହିଥିଲା । ଏହାକୁ ନେଇ କେନ୍ଦ୍ର କୌଣସି ପ୍ରକାରର ସାଲିସ କରିବନି ବୋଲି ସିଧା ଆକ୍ରମଣ କରିଛନ୍ତି ମନମୋହନ ।