ବୟସ ବଢୁଛି ଯନ୍ତ୍ରଣା ବି ବଢୁଛି…୮୦ବର୍ଷର ବୁଢୀ ମାଆ କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ଭାର…ପର ପିଣ୍ଡା ପାଲଟିଛି ରହିବାର ଠିକଣା ଆଉ ରୋଷେଇ ଶାଳ ସାଜିଛି ପାଇଖାନା ଘର

625

କନକ ବ୍ୟୁରୋ: ଆଖିକୁ ଭଲ ଦେଖାଯାଉନାହିଁ । ଅଣ୍ଟା ସଳଖି ଚାଲିପାରୁନାହିଁ । ବୟସର ଏହି ପାହାଚରେ ପରିବାର ପ୍ରତିପୋଷଣର ଚିନ୍ତା । ଅନ୍ୟ ଚାରି ପ୍ରାଣୀ କୁଟୁମ୍ବ ପୁଅ, ବୋହୁ, ନାତି ନାତୁଣୀ ମାନସିକ ବିକାରଗ୍ରସ୍ତ ହୋଇଯିବା ପରେ ପାରିବାର ଦାୟିତ୍ୱ ୮୦ ବର୍ଷୀୟ ବୃଦ୍ଧାଙ୍କ କାନ୍ଧରେ । ଏ କାହାଣୀ ହେଉଛି ନବରଙ୍ଗପୁର ଜିଲ୍ଲା ତୁମ୍ବର୍ଲ୍ଲା ଗାଁର ଜଣେ ୮୦ ବର୍ଷୀୟ ବୃଦ୍ଧା ବତୀ ହରିଜନଙ୍କର ।

ଏ ବୟସରେ ଯେଉଁଠି ଆରାମ କରିବା କଥା ସେହି ବୟସରେ ମୁଣ୍ଡରେ କାଠ ଆଣି, ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ବତୀ ହରିଜନ । ତେବେ ବତୀଙ୍କ ଏହି ସଂଘର୍ଷ ପଛରେ ଲୁଚି ରହିଛି ଅନେକ ଦୁଃଖ ଭରା କାହାଣୀ । ବତୀଙ୍କ ପରିବାର କହିଲେ ପୁଅ, ବୋହୁ, ନାତି ଓ ନାତୁଣୀ । ଭାଗ୍ୟର ବିଡମ୍ବନା ବୟସର ଅପରାହ୍ନରେ ପରିବାର ପ୍ରତିପୋଷଣର ବୋଝ । ଆଉ ଏହାର କାରଣ ପରିବାରର ସମସ୍ତ ସଦସ୍ୟ ମାନସିକ ରୋଗାକ୍ରାନ୍ତ । ପୁଅ ଟଂକଧର ପ୍ରଥମରୁ ଭଲ ଥିବାବେଳେ ସ୍ୱାଭାବିକ ଜୀବନ ବଞ୍ଚୁଥିଲେ । ବିବାହ ପରେ ପତ୍ନୀକୁ ନେଇ ଅଲଗା ରହୁଥିଲେ । ତେବେ ଜୀବନର ମୋଡ଼ ସେତେବେଳେ ବଦଳି ଯାଇଥିଲା ଯେତେବେଳେ ଟଙ୍କଧର ମାନସିକ ରୋଗାକ୍ରାନ୍ତ ହୋଇଯାଇଥିଲେ । ଏହାସହ ଟଂକଧରଙ୍କ ପୁରା ପରିବାର ସ୍ତ୍ରୀ, ପୁଅ ଓ ଝିଅ ସମସ୍ତେ ଏହି ମାନସିକ ରୋଗାକ୍ରାନ୍ତ ହୋଇ ଦିବ୍ୟାଙ୍ଗ ପାଲଟିଯାଇଥିଲେ ।

 

ପୁଅ ସହ ତା ପରିବାରର ଏହି ଅବସ୍ଥା ଦେଖି ସମସ୍ତଙ୍କୁ ନିଜ ପାଖକୁ ଆଣି ରଖିଥିଲେ ବତୀ । ବାସ ଏହିଠୁ ଆରମ୍ଭ ହୋଇଥିଲା ବତୀଙ୍କ ସଂଘର୍ଷର କାହାଣୀ । ନିଜର ବୋଲି ଘର ଖଣ୍ଡିଏ ନ ଥିବାବେଳେ ଟଙ୍କ ହରିଜନ ନା ରେ ଘର ଆସିଥିବା ବେଳେ ପାଖରେ ଅର୍ଥର ଅଭାବରୁ ସେ ଘର ତିଆରି କରିନପାରି ଜଣେ ଠିକାଦାରଙ୍କୁ ଦେଇଥିଲେ ତିଆରି କରିବା ପାଇଁ କିନ୍ତୁ ଠିକାଦାର ଘର ଅଧାପନ୍ତରିଆ କରିଛାଡି ଦେଇଥିବା ବେଳେ ଜଣେ ପଡୋଶୀଙ୍କ ଘର ପାଲଟିଛି ତାଙ୍କ ଠିକଣା । ଆଉ ରୋଷେଇ ଶାଳ ପାଲଟିଛି ପାଇଖାନା ଗୃହ । ପର ଘରେ ମୂଲ ଲାଗି ଯାହା ଆଣନ୍ତି ସେଇଥିରେ ପୂରା ପରିବାର ଭୋକ ମେଂଟାନ୍ତି ବତୀ ।

ସେପଟେ ସମସ୍ତ ଦିବ୍ୟାଙ୍ଗଙ୍କୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇନଥିବା ବେଳେ ମିଳୁନାହିଁ ଦିବ୍ୟାଙ୍ଗ ଭତ୍ତା । ସରକାରୀ ଯୋଜନାରେ ବତୀଙ୍କୁ ମିଳୁଛି କେବଳ ପାଞ୍ଚ ଶହ ଟଙ୍କା ଭତ୍ତା ଓ ଦଶ କିଲୋ ଚାଉଳ । ତେବେ ଯଦି ପରିବାରର ଦୁଃଖକୁ ବୁଝି ପ୍ରଶାସନ ତରଫରୁ କିଛି ସୁବିଧା ଯୋଗାଇଦିଆଯାଏ ତେବେ ବତୀଙ୍କ ପରିବାରରେ ପୁଣି ଖୁସି ଫେରିଆସିପରନ୍ତା ।