ବାଜିଲା ଆଇପିଏଲ୍ ବିଗୁଲ । ନିଲାମି ପ୍ରକ୍ରିୟା ପାଇଁ ଘୋଷଣା ହେଲା ତାରିଖ ।

3,753

କନକ ବ୍ୟୁରୋ : ପୁଣି ବାଜିଲା ଆଇପିଏଲ ବିଗୁଲ । କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହେଲା ସଜବାଜ । ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଇପିଏଲ୍ ୨୦୨୦ ପାଇଁ ଚଳିତବର୍ଷ ଡିସେମ୍ବର ମାସ ୧୯ ତାରିଖରେ କୋଲକାତା ଠାରେ ନିଲାମି ପ୍ରକ୍ରିୟା କରାଯିବ ।

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଇପିଏଲ ୨୦୨୦ ନିଲାମୀ ପ୍ରକ୍ରିୟାରେ ଅଳ୍ପ କିଛି ଖେଳାଳୀଙ୍କୁ ନେଇ ଅକ୍ସନ ପ୍ରକ୍ରିୟା କରାଯିବ । ତେବେ ଏହା ପୂର୍ବରୁ ସମସ୍ତ ଫାଂଚାଇଜ୍ ମାନଙ୍କୁ ଏକ ନୋଟିସ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ସେମାନେ କେଉଁ ଖେଳାଳୀଙ୍କୁ ଅପରିବର୍ତ୍ତିତ ରଖିବେ ଏବଂ କେଉଁ ଖେଳାଳୀଙ୍କୁ ଦଳରୁ ବାଦ୍ ଦେବେ, ସେନେଇ ଆସନ୍ତା ନଭେମ୍ବର ୧୪ ତାରିଖ ମଧ୍ୟରେ ପ୍ରତିଟି ଦଳ ନିଷ୍ପତି ନେବେ ।

୨୦୧୯ ଆଇପିଏଲରେ ପ୍ରତ୍ୟକ ଫ୍ରାଂଚାଇଜଙ୍କୁ ନିଲାମୀ ପ୍ରକ୍ରିୟାରେ ୮୨ କୋଟି ଟଙ୍କା ଦିଆଯାଇଥିଲା । କିନ୍ତୁ ୨୦୨୦ ପାଇଁ ଏହି ରାଶି ୮୫ କୋଟି ଟଙ୍କା ରହିଛି । ତେବେ ଆସନ୍ତା ଡିସେମ୍ବର ମାସ ୧୯ ତାରିଖରେ କୋଲକାତା ଠାରେ ଆଇପିଏଲର ୧୩ତମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ନଜର ପକାନ୍ତୁ ଖେଳାଳୀ କିଣିବା ପାଇଁ କେଉଁ ଦଳ ପାଖରେ କେତେ ଟଙ୍କା ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ – ୮ କୋଟି ୨୦ ଲକ୍ଷ ଟଙ୍କା
ରାଜସ୍ଥାନ ରୟାଲ୍ସ – ୭ କୋଟି ୧୫ ଲକ୍ଷ ଟଙ୍କା
କୋଲକାତା ନାଇଟ୍ ରାଇଡର୍ସ – ୬ କୋଟି ୫ ଲକ୍ଷ ଟଙ୍କା
ସନ ରାଇଜର୍ସ ହାଇଦ୍ରାବାଦ – ୫ କୋଟି ୩ ଲକ୍ଷ ଟଙ୍କା
କିଙ୍ଗସ ଏକାଦଶ ପଞ୍ଜାବ – ୩ କୋଟି ୭ ଲକ୍ଷ ଟଙ୍କା
ଚେନ୍ନାଇ ସୁପରକିଙ୍ଗସ – ୩ କୋଟି ୨ ଲକ୍ଷ ଟଙ୍କା
ମୁମ୍ବାଇ ଇଣ୍ଡିଆନ୍ସ – ୩ କୋଟି ୫ ହଜାର ଟଙ୍କା
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୧ କୋଟି ୮ ଲକ୍ଷ ଟଙ୍କା ।