କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ : ସକାଳ ୯ଟା ସୁଦ୍ଧା ୮ଦଶମିକ ୨୬ ପ୍ରତିଶତ ମତଦାନ

83

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିରୁପ୍ପା, କର୍ଣ୍ଣାଟକର ମନ୍ତ୍ରୀ ସି.ଏନ୍ ଅଶ୍ୱସ୍ଥ, ଅଭିନେତା ପ୍ରକାଶ ରାଜ ପ୍ରମୁଖ ସକାଳୁ ସକାଳୁ ଭୋଟ୍ ଦେଇଛନ୍ତି । ୟେଦିରୁପ୍ପା କହିଛନ୍ତି ୭୫ରୁ ୮୦ ପ୍ରତିଶତ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି । ଦଳ ୧୩୦ରୁ ୧୩୫ ଆସନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଚଳିତ ଥର ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି । ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବା ପାଇଁ ଯାଉଛନ୍ତି । ସକାଳ ୯ଟା ସୁଦ୍ଧା ୮ଦଶମିକ ୨୬ ପ୍ରତିଶତ ମତଦାନ ହୋଇଛି ।