ଚିଲିକା ଉପକୂଳରେ ଆରମ୍ଭ ହେଲା ଷଷ୍ଠତମ ଚିଲିକା ମହୋତ୍ସବ ! ମା’ କାଳିଜାଇଙ୍କ ପାଖରୁ ଜ୍ୟୋତି ଆସିବା ପରେ ଜମୁଛି ସାଂସ୍କୃତିକ ଆସର

45

କନକ ବ୍ୟୁରୋ : ଆରମ୍ଭ ହୋଇଛି ଚିଲିକା ମହୋତ୍ସବ । ଆର୍ନ୍ତଜାତୀୟ ପର୍ଯ୍ୟଟନସ୍ଥଳୀ ଚିଲିକା କୂଳରେ ଷଷ୍ଠତମ ଚିଲିକା ମହୋତ୍ସବ ଉଦଘାଟିତ ହୋଇଯାଇଛି । ମା’ କାଳିଜାଇ ପୀଠରୁ ୨୫ଟି ଡଙ୍ଗା ସାହାଯ୍ୟରେ ଜ୍ୟୋତି ଆସିବା ପରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା । ଉଦଘାଟନୀ ଉତ୍ସବରେ ବାଚସ୍ପତି ପ୍ରଦୀପ ଅମାତ୍, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ସାମିଲ ହୋଇଥିଲେ । ପ୍ରଥମ ସଂଧ୍ୟାର କାର୍ଯ୍ୟକ୍ରମ ଗଂଜାମର ଯୋଡି ଶଂଖ ବାଦନରୁ ଆରମ୍ଭ ହୋଇଥିଲା । ଶୀତ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ ଉପଭୋଗ କରୁଛନ୍ତି । ଚାରି ଦିନ ଧରି ଚାଲିବ ଏହି ମହୋତ୍ସବ ।

ସେପଟେ ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଡଙ୍ଗା । ଘନ କୁହୁଡି ଯୋଗୁଁ ସାତପଡାରୁ ଜହ୍ନିକୁଦା ଯାଉଥିବା ଡଙ୍ଗାଟି ଚିଲିକା ମଝିରେ ଏକ କୁଦରେ ଅଟକି ରହିଲା । ୨୦ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ୫କିଲୋମିଟର ଜଳପଥ ଅତିକ୍ରମ କରୁଥିବା ବେଳେ ରାସ୍ତା ଦେଖାନଯିବାରୁ ଏକ କୁଦ ଭିତରେ ଡଙ୍ଗାର ତଳ ଅଂଶ ଲାଗିଯାଇଥିଲା । ଯାତ୍ରୀମାନେ ହୋହାଲ୍ଲା କରି ହାତ ହଲାଇ ଉଦ୍ଧାର ପାଇଁ ସହାୟତା ମାଗିଥିଲେ । ଅନ୍ୟ ଡଙ୍ଗା ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି ।