ରିଲ୍ ଲାଇଫ ନୁହେଁ ରିୟଲ ଲାଇଫର ଦୃଶ୍ୟ : ତାରରେ ନଦୀପାର ବେଳେ ତାର ଛିଣ୍ଡିଗଲା, ଭାସଗିଲେ ୬ ମହିଳା

48

କନକ ବ୍ୟୁରୋ : ଭରା ନଈ, ଆଉ ନଦୀ ପାରହେବା ଲାଗି ସାହାରା ତାର । ଜୀବନକୁ ବାଜି ଲଗାଇ ନଦୀ ପାର ହେଉଥିବାବେଳେ ଭାସିଯାଇଛନ୍ତି ୬ ମହିଳା । ତେବେ ସ୍ଥାନୀୟ ଯୁବକଙ୍କ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଦାରିଙ୍ଗିବାଡି ବ୍ଲକ କିରିକୁଟୀ ପଂଚାୟତ ବୁରାଙ୍ଗିଆ ଗାଁରେ । ଏଠାରେ ଗାଁକୁ ଯିବା ବାଟରେ ପଡେ ଖଡ଼ଗ ନଦୀ । ଗାଁରୁ ସ୍କୁଲ, ବଜାର ଓ ଡାକ୍ତରଖାନା ଯିବାକୁ ହେଲେ ଏହି ନଦୀ ପାର ହୋଇ ଯିବାକୁ ପଡେ । ନଦୀ ଉପରେ ପୋଲ ନଥିବାରୁ ଦୁଇ କୂଳରେ ଥିବା ଗଛକୁ ତାରରେ ଯୋଡି, ସେଥିରେ ଝୁଲି ଝୁଲି ପାର ହୋଇଥାନ୍ତି ଲୋକେ । ସବୁଦିନ ଭଳି ଗତକାଲି ୬ ଜଣ ମହିଳାଙ୍କ ସହିତ କିଛି ଲୋକେ ତାର ସହାୟତାରେ ନଦୀ ପାର ହେଉଥିଲେ ।

ପ୍ରତିଦିନ ଭଳି ଗତକାଲି ସକାଳେ ପରିବାରର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବୁରାଙ୍ଗିଆର ସେରିନ୍ଦ୍ରି ଅମାୟତ (୬୦), ବିଳାସିନି ପ୍ରଧାନ(୫୦), ତିଳୋତମା ବିନ୍ଧାଣି (୪୦), ଶ୍ରୀମତି ଅମାୟତ (୩୦) ଓ ଦୁଇଜଣ ଗର୍ଭବତୀ ମହିଳା ସରସ୍ୱତୀ ଅମାୟତ (୩୦), ପାର୍ବତୀ ଅମାୟତ(୨୫) ଖଡ଼ଗନଦୀରେ ଦୁଇ କୂଳରେ ବନ୍ଧା ହୋଇଥିବା ରଶିକୁ ହାତରେ ଧରି ନଦୀ ପାର ହେଉ ଥିଲେ। ହେଲେ ହଠାତ ତାର ଛିଡ଼ି ପଡ଼ିଥିଲା । ନଦୀର ତୀବ୍ର ସ୍ରୋତରେ ଭାସିଯାଉଥିଲେ । ଏହି ସମୟରେ କୂଳ ଆରପାଖରେ ଗ୍ରାମକୁ ଆସିବା ପାଇଁ ଅପେକ୍ଷା କରିଥିବା ତିନି ଯୁବକ ସୁରଥ ମଳିକ, ରମେଶ ପ୍ରଧାନ ଓ ବସନ୍ତ ଅମାୟତ ଉପସ୍ଥିତ ବୁଦ୍ଧି ଖଟାଇ ନଦୀକୁ ଡେଇଁ ୬ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ୩ଜଣ ଯୁବକ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହାକୁ ନେଇ ସେଠାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରକାରଙ୍କ ବିକାଶ ଉପରେ ବି ଲାଗିଛି ପ୍ରଶ୍ନଚିହ୍ନ ।