ଟଳିଲା ବିପଦ, ଜିତିଲା ଜୀବନ ! ଥାଇଲାଣ୍ଡ ଗୁମ୍ଫାରେ ୧୫ ଦିନ ଫଶି ରହିବା ପରେ ଉଦ୍ଧାର ହେଲେ ୬ ଜଣ ଖେଳାଳି, ଏବେ ମଧ୍ୟ ଜୀବନ ସହ ସଂର୍ଘଷ କରୁଛନ୍ତି ବାକି ୭ ଜଣ

24

ଥାଇଲାଣ୍ଡର ଯେଉଁ ରେସକ୍ୟୁ ଅପରେସନ୍ ଉପରେ ସାରା ଦୁନିଆର ନଜର ଥିଲା, ସେହି ରେସକ୍ୟୁ କ୍ୟାମ୍ପରୁ ଆସିଛି ଏମିତି ଏକ ଖବର ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପ୍ରାୟତଃ ଅସମ୍ଭବ ଲାଗୁଥିବା ଦୁନିଆର ଏକ ବଡ ଅପରେସନ୍ ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଛି । ଜୀବନ-ମୃତ୍ୟୁର ଆଶା ଆଶଙ୍କା ଭିତରେ ଦୀର୍ଘ ୨ ସପ୍ତାହ ପରେ ମିଳିଛି ମୁକ୍ତିର ଆନନ୍ଦ । ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରେ ଫଶି ରହିଥିବା ୧୨ ଜଣ ଫୁଟବଲ ଖେଳାଳି ଏବଂ କୋଚଙ୍କୁ ଶେଷରେ ଉଦ୍ଧାର କରାଯାଉଛି ।

ଉଦ୍ଧାର ପାଇଁ ଅନବରତ ଉଦ୍ୟମ କରୁଥିବା ଉଦ୍ଧାରକାରୀ ଦଳର ପ୍ରଥମ ପର୍ଯ୍ୟାୟରେ ସଫଳତାର ସହ ୬ ଜଣ ଖେଳାଳିଙ୍କୁ ବାହାର କରିଛି । ଆଉ ପର୍ଯ୍ୟାୟକ୍ରମେ ଏହି ଧାରା ଜାରି ରହିଛି । ଏବେ ମଧ୍ୟ କୋଚଙ୍କ ସମେତ ଅନ୍ୟ ଖେଳାଳି ଫଶି ରହିଛନ୍ତି । ତେବେ ଗୁମ୍ଫାରୁ ଉଦ୍ଧାର ପାଇଥିବା ଶିଶୁ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ୧୩ ଜଣ ବିଦେଶୀ ପ୍ରଶିକ୍ଷିତ ବୁଡାଳି ଓ ଥାଇଲାଣ୍ଡ ନୌସେନାର ୫ ଜଣ ପ୍ରଶିକ୍ଷିତ ବୁଡାଳୀ ଚେଷ୍ଟା ଚଳାଇଛନ୍ତି ।

ଫୁଟବଲ ଅଭ୍ୟାସ୍ ପରେ ବୁଲିବାର ଅଭିଳାସା ଯେ, ଗୁମ୍ଫା ଭିତରେ ଏମିତି ବନ୍ଧକ ରଖି ଦେବ ହୁଏତ ଏମାନେ କେହି କଳ୍ପନା ବି କରିନଥିଲେ । ହେଲେ ଜୁନ୍ ୨୩ ତାରିଖରୁ ଗୁମ୍ଫା ଭିତରେ ଫଶି ରହିଥିବା ୧୨ ଜଣ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଯୁଦ୍ଧକାଳୀନ ଅପରେସନ୍ । ଗୁମ୍ଫାର ପ୍ରବେଶ ଦ୍ୱାରରୁ ପ୍ରାୟ ୪ କିଲୋମିଟର ଭିତରେ ଫଶି ରହିଥିଲେ ଏମାନେ । ଫୁଟବଲ ଖେଳାଳିମାନେ ଥିବା ସ୍ଥାନକୁ ଉଦ୍ଧାରକାରୀ ଦଳ ପହଂଚିଯାଇଛନ୍ତି ସିନା, ହେଲେ ସେମାନଙ୍କୁ ସେଠାରୁ ବାହାର କରିବା ଉଦ୍ଧାକାରୀ ଦଳ ପାଇଁ ଥିଲା ସବୁଠାରୁ ବଡ ଆହ୍ୱାନ୍ ।

ଆଉ ଏସବୁ ଭିତରେ ଗୁମ୍ଫା ଭିତରୁ ଆସିଥିଲା ଫଶି ରହିଥିବା ପିଲାଙ୍କ ହାତ ଲେଖା ଚିଠି । ଯେଉଁଥିରେ ଜଣେ ଲେଖିଥିଲେ- ବାପା-ମା’ ତୁମେ ଚିନ୍ତା କରନି । ଏଠାରେ ଆମେ ଠିକରେ ଅଛୁ । ବର୍ତମାନ ଆମ ପାଖରେ ଖାଇବା ସାମଗ୍ରୀ ବି ପହଂଚି ଯାଇଛି । ଆମେ ଶୀଘ୍ର ଫେରିବୁ ।ସତକୁ ସତ ଏହି ଖେଳାଳିମାନେ ଏବେ ସୁରକ୍ଷିତ ଫେରିଛନ୍ତି । ଦୁଇ ସପ୍ତାହ ଧରି ଚାଲିଥିବା ଏହି ସଂଘର୍ଷ ଶେଷ ହୋଇଛି । ଗୁମ୍ଫା ଭିତରେ ଫଶି ରହିଥିବା ଅବଶିଷ୍ଟ ଖେଳାଳିଙ୍କୁ ବାହାରକୁ ଆଣାଯିବାକୁ ବର୍ତମାନ ଅପେକ୍ଷା କରାଯାଇଛି । ଯେଉଁ ଭଳି ଭାବରେ ଥାଇଲାଣ୍ଡରେଏହି ଉଦ୍ଧାରକାର୍ଯ୍ୟକୁ ଚୁଡାନ୍ତ ରୁପ ଦିଆଯାଇଛି, ତାହା ନିଶ୍ଚିତ ଭାବରେ ରେସକ୍ୟୁ ଅପରେସନ୍ କ୍ଷେତ୍ରରେ ଦୁନିଆ ପାଇଁ ଏକ ବଡ ଉପଲବ୍ଧି । ଆଉ ଏହାସହ ଦୀର୍ଘ ୧୫ ଦିନ ପରେ ଏକ ବଡ ସଫଳତା ପାଇଛନ୍ତି ରେସକ୍ୟୁ ଟିମ୍ ।